ଆଜିଠୁ ପୁଣି ଟିକାକରଣ: କେନ୍ଦ୍ର ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୧୮।୧(ବ୍ୟୁରୋ): କରୋନା ମହାମାରୀକୁ ହରାଇବା ପାଇଁ ଓଡ଼ିଶାରେ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ରବିବାର ଟିକା ପ୍ରଦାନ ବନ୍ଦ ଥିବାବେଳେ ସୋମବାରଠାରୁ ପୁଣି ଆରମ୍ଭ ହୋଇଛି। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟିକାକରଣ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଏଣିକି ସମସ୍ତ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେବ। ପ୍ରତି ସେସନରେ ୨ଶହ ଜଣଙ୍କୁ ଟିକା ଦିଆଯିବ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ। ଏହିସବୁ ସ୍ଥାନରେ ୨ଶହ ଜଣଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେହିଭଳି ସୋମବାରଠାରୁ ୫ ବଦଳରେ ୬ଜଣ ଭାକ୍ସିନ ଇନ୍‌ଚାର୍ଜ ରହିବେ। କିନ୍ତୁ ପିଏଚ୍‌ସି ଓ ସିଏଚ୍‌ସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ। ଟିକାକରଣର ପ୍ରଥମ ଦିନରେ ରାଜ୍ୟରେ ୧୩ ହଜାର ୯୮୦ ଲୋକଙ୍କୁ ଟିକା ଦିଆଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ସାରା ରାଜ୍ୟରେ ୩ ଲକ୍ଷ ୨୮ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ କେତେଜଣଙ୍କଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ନର୍ଭସ୍‌ନେସ୍‌ ପାଇଁ ଏହା ହୋଇଥିଲା ଓ ପରବର୍ତ୍ତୀ ସମୟରେ ସବୁକିଛି ଠିକ୍‌ ହୋଇଯାଇଥିଲା। ଏହା ଉପରେ ବିଭାଗ ନଜର ରଖିଛି ବୋଲି ସଚିବ ପାଣିଗ୍ରାହୀ କହିଛନ୍ତି।

Share