ଟିକା ଆଉ ଆମ ଆଚରଣ

ସହଦେବ ସାହୁ

କୋଭିଡ୍‌ ୧୯ ଚାଲିଯିବ ନାହିଁ। ତା’ ଉପରେ ଲଗାମ ଲଗାଇବାକୁ ହେଲେ ସାରା ପୃଥିବୀର ଲୋକଙ୍କୁ ଏକ ସମୟସୀମା ଭିତରେ ଟିକା ଦେବାକୁ ହେବ। ପ୍ରଥମତଃ ଟିକା ନେଇଥିବା ଲୋକ ଦେହରେ ରୋଗ ପ୍ରତିରୋଧକ ଶକ୍ତି ପ୍ରାୟ ବର୍ଷକ ଭିତରେ ଉଭେଇ ଯାଇଥିବ। ପୁଣି କୋଭିଡ୍‌ ୨୦, କୋଭିଡ୍‌ ୨୧ ଓ କୋଭିଡ୍‌ ୨୨ ବି ଆସିବ। ଡାର୍‌ଓି୍ବନ୍‌ କହିଥିଲେ, ଏମିତି ବିବର୍ତ୍ତନ ସବୁଦିନେ ଚାଲିଛି। ପରିବେଶ ସହିତ ଖାପ ଖୁଆଇ ଚଳିବା ମାନେ ତ ବିବର୍ତ୍ତନ, କୋଭିଡ୍‌ ଭୂତାଣୁ ଆମ ମଣିଷମାନଙ୍କର ରୋଗ ପ୍ରତିରୋଧକ କ୍ରିୟାକଳାପକୁ ଖାପ ଖୋଇ ନୂଆ ରୂପ ନେବ। ମଣିଷ ସିନା ପୋଖତ ବ୍ୟକ୍ତିଟିଏ ହେବାକୁ ପନ୍ଦର ଷୋହଳ ବର୍ଷ ନେଉଛି, ଭୂତାଣୁ ତ ପ୍ରତିଦିନ ବା ଅତିବେଶିରେ ସପ୍ତାହେ ଭିତରେ ପୋଖତ ହୋଇଯାଉଛି, ପରିବେଶ ସହିତ ଖାପ ଖୋଇନେଉଛି। ତେଣୁ ସର୍ଦ୍ଦି ସହିତ ମଣିଷ ଯେମିତି ଚଳିଆସିଛି, ସେମିତି କୋଭିଡ୍‌ ସହିତ ଚଳିବ, ଅଥବା ଔଷଧ ବାହାରିବା ପରେ ଯେମିତି ଇନ୍‌ଫ୍ଲୁଏଞ୍ଜା ସହିତ ଆମେ ଚଳିଆସିଛୁ କିମ୍ବା ବ୍ୟୟବହୁଳ ଔଷଧ ବାହାରିବା ପରେ ଏଡ୍‌ସ ସହିତ ଅସଂଯତ ଯୌନ କାରବାର ଯୋଗୁ ସଂକ୍ରମିତ ଲୋକେ ଲଢ଼େଇ କରିଆସୁଛନ୍ତି, ସେହିପରି କେଇ ବର୍ଷ ଭିତରେ ଆମେ ସମସ୍ତେ କରୋନା ଭୂତାଣୁଜନିତ କୋଭିଡ୍‌ ରୋଗ ସହିତ ଲଢ଼େଇ କରିବାର କ୍ଷମତା (ଚିକିତ୍ସା ସୁବିଧା) ପାଇଯିବା। ଆମେ ଯେପରି ସର୍ଦ୍ଦି ରୋଗୀର କାଶ ଛିଙ୍କ ଖଙ୍କାରଠାରୁ ଦୂରରେ ରହୁଛୁ, ଅର୍ଥାତ୍‌ ସେପରି ଲୋକଠାରୁ ଦୂରରେ ରହୁଛୁ ଓ ଔଷଧ ଖାଉଛୁ; ଆଉ ଦି’ତିନି ବର୍ଷ ଭିତରେ ଆମେ ସେମିତି କରୋନା ସହିତ କାରବାର କରିବା। ଏହାର ଅର୍ଥ ଅଜଣା ଲୋକଠାରୁ ବା ନୂଆ କରି ପାଖକୁ ଆସୁଥିବା ଲୋକଠାରୁ ଦୂରେଇ ରହିବା, ସଙ୍ଗରୋଧ ବା ସୋସିଆଲ୍‌ ଡିଷ୍ଟାନ୍ସିଂ ମାନିବା, ତା’ ସାଙ୍ଗରେ ଜନ ସ୍ବାସ୍ଥ୍ୟରକ୍ଷା ମାନିବା ଯଥା ମୁହଁ ଓ ନାକ ଘୋଡ଼ାଇବା ମାସ୍କ ଲଗାଇବା, ଯେତେବେଳେ ହାତ ବ୍ୟବହାର କରୁଛୁ ବା ପଦାକୁ ଯାଇଛୁ, ସେତେବେଳେ ଏବଂ ଘରକୁ ଫେରିବା ବେଳେ ହାତ ଗୋଡ଼ ଧୋଇବା। ଟିକା ନେଇ ନ ଥିବା ଲୋକ ସହିତ ମିଳାମିଶା ଛାଡ଼ିଦେବା ଆମ ଆଚରଣରେ ପଡ଼ିଯିବା କଥା।
ଆମେରିକାର ସିଡିସି (ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନ୍‌ସନ୍‌) ଲୋକଙ୍କୁ କହିଛି, ଟିକା ନେଇଛ ମାନେ ତୁମେ ସାଙ୍ଗସାଥୀ ଓ ପରିବାର ସହିତ ଭୋଜନରେ ବସିପାର। ଟିକା ନେଇ ନ ଥିବା ଲୋକ ସହିତ ସମ୍ପର୍କ ରଖିବା ରୋଗକୁ ଡାକି ଆଣିପାରେ। ପୂରା ଟିକା ନେଇଛ ମାନେ ମଡର୍ନା ବା ଫାଇଜର୍‌ ଟିକା ଦୁଇ ପାନ ନେଇଥିବ, ଯେମିତି ଆମ ଦେଶର କୋଭିଶିଲ୍ଡ ବା କୋଭାକ୍ସିନ୍‌। ଅଥବା ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଟିକା ଥରେ ନେଇଥିବ ତ ଯଥେଷ୍ଟ। ସମ୍ପୂର୍ଣ୍ଣ ଟିକା ପରେ ତିନି ଚାରି ସପ୍ତାହ ଅପେକ୍ଷା କରିବ, ସେତେବେଳକୁ ତୁମ ଦେହରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଯାଇଥିବ। ତେବେ ବି ସମସ୍ତଙ୍କ ସାଙ୍ଗରେ ମିଶିବ ନାହିଁ; ଘର ଭିତରେ ତୁମ ପରିବାର ସହିତ ତ ରହିିପାରିବ, ଅନ୍ୟ ଟିକା ନେଇଥିବା ଲୋକଙ୍କ ସହ ବାହାରେ ଓ ଘର ଭିତରେ ମିଶିପାର, ମାସ୍କ ନ ଦେଲେ ବି। ମାତ୍ର ନିଜ ଅଞ୍ଚଳ ବାହାରକୁ ଯାଅ ନାହିଁ।
ମନେରଖ, ତୁମେ ଯଦି ଥରେ ମାତ୍ର କୋଭାକ୍ସିନ୍‌ ବା କୋଭିଶିଲ୍ଡ ନେଇଛ, ତୁମେ ପୂରା ଟିକା ନେଇନାହଁ, ସେଇମିତି ଦୁଇଥରଯାକ ଟିକା ନେଇଥିଲେ ବି ଦ୍ୱିତୀୟ ଟିକା ନେବା ପରେ ଅତିକମ୍‌ରେ ଦୁଇ ସପ୍ତାହ ଘର ଭିତରେ ନ ବିତାଇଛ, ତୁମର ରୋଗ ପ୍ରତିରୋଧକ ଶକ୍ତି ଆସିନାହିଁ। ତେଣୁ ସବୁ କଟକଣା ମାନିବା ଦରକାର। ଟିକା ସମ୍ପୂର୍ଣ୍ଣ ନେଇଥିଲେ ବି ଯଦି ବାହାରକୁ ଯାଉଛ, ଜନସାଧାରଣ ହାଉଯାଉ ହେଉଥିବା ଜାଗାକୁ ଯାଉଛ, ମାସ୍କ ପିନ୍ଧା ଆଉ ସୋସିଆଲ୍‌ ଡିଷ୍ଟାନ୍ସିଂ ସହ ହାତଧୁଆ ମାନିବାକୁ ପଡ଼ିିବ। ଯେ ପର୍ଯ୍ୟନ୍ତ ସାରା ସମାଜରେ ଟିକା ଦିଆ ନ ଯାଇଛି, ସେଯାଏ କଟକଣା ମାନିବାକୁ ପଡ଼ିବ। ଅବଶ୍ୟ ଭୂତାଣୁ ସଂକ୍ରମଣ ଜାଗାକୁ ଟିକା ନେଇଥିବା ଲୋକ ଯାଇଥିଲେ କଣ୍ଟାକ୍ଟ ଟ୍ରେସିଂରେ ସେ ଧରାପଡ଼ିଲେ ବି ଟିକା ନେଇଥିବା କାରଣରୁ ୧୪ ଦିନିଆ କ୍ୱାରାଣ୍ଟାଇନରେ ରହିବା ଦରକାର ନାହିଁ।
ଟିକା ଦେବାରେ ପାନ୍ତରଅନ୍ତର ବେଶ୍‌ ଦେଖାଯାଉଛି, ଯେମିତି ଅକାଳ ପଡ଼ିଲେ ରେସନ ବାଣ୍ଟିବାରେ ପାନ୍ତରଅନ୍ତର ଆସିଯାଏ। ଏବେ ଇସ୍ରାଏଲ ଦେଶ ଟିକାକରଣରେ ବିଶ୍ୱର ଶୀର୍ଷରେ ଅଛି। ନିରିଖେଇ ଦେଖିଲେ ସେ ଦେଶରେ ସମସ୍ତେ ସମାନ ଭାବରେ ପାଇନାହାନ୍ତି। ୬୭% ‘ଆରବ ଇସ୍ରାଏଲୀ’ ଓ ‘ଇସ୍ରାଏଲୀ ହାରେଡି ଜୁ’ଙ୍କୁ, ଅଥଚ ବାକି ଲୋକଙ୍କ ଭିତରୁ ୯୦%କୁ ଟିକା ଦିଆଯାଇଛି। ଅବଶ୍ୟ ଲକ୍ଷ୍ୟଠାରୁ ଦୂରରେ ଥିବାର ଦୁଇଟି କାରଣ ଅଛି। ୧ମ କଥା, କେତେକ ଲୋକ ଟିକା ନେବାକୁ ଚାହୁଁନାହାନ୍ତି, ୨ୟ କାରଣ ବହୁତ ଲୋକ ଟିକା ମିଳିବା ଜାଗାରୁ ବହୁତ ଦୂରରେ ଅଛନ୍ତି। ଆମେରିକାରେ ବି ସେହି କଥା। ମାର୍ଚ୍ଚ ୧୫ ସୁଦ୍ଧା ଦୁଇ ତୃତୀୟାଂଶ ଗୋରା ଆମେରିକାନ୍‌, ୧୦%ରୁ କମ୍‌ ହିସ୍ପାନିକ୍‌ ବା କଳା ଲୋକକୁ ଟିକା ଦିଆଯାଇଛି- ସେମାନେ ଯଥାକ୍ରମେ ୧୮% ଓ ୧୩.୪%ା ଟିକା ନେବାକୁ ଅମଙ୍ଗ ଲୋକେ ମିଛ ଖବର ଦେଉଛନ୍ତି। ଯେମିତି ମୁସଲମାନଙ୍କୁ କୁହାଯାଉଛି, ଟିକାରେ ଘୁଷୁରି ଚର୍ବି ମିଶିଛି। ହ୍ବାଟ୍‌ସଆପ୍‌ ଓ ଅନ୍ୟ ସୋସିଆଲ୍‌ ମିଡିଆରେ ପ୍ରଚାର ହେଉଛି ଏବଂ ସାଧାରଣ ଲୋକେ ନିଜ ନିଜ ଭିତରେ ଫୁସ୍‌ଫୁସ୍‌ ହୋଇ ମିଛଟା ବେଶି ବ୍ୟାପୁଛି। ପୁଣି ଶିକ୍ଷିତମାନେ ଖରାପ ଉଦାହରଣ ସୃଷ୍ଟି କରୁଛନ୍ତି। ଭୁବନେଶ୍ୱରର ଏକ୍ସଆଇଏମ୍‌ବି ଭଳି ଅଭିଜାତ କଲେଜରେ ୨୭ ଜଣ ପିଲା ଆକ୍ରାନ୍ତ ହୋଇଥିବାର ଖବର ପଢ଼ି ବା ଶୁଣି ଲୋକେ ଭାବୁଛନ୍ତି ଏଭଳି ପିଲାମାନେ ତ କୋଭିଡ୍‌-୧୯ ନିୟମାବଳି ମାନୁନାହାନ୍ତି, ଆମେ ମାନି ଲାଭ କ’ଣ? ସେମାନେ କ’ଣ କୋଭିଡ୍‌-୧୯ ନିୟମାବଳୀ ଜାଣିନାହାନ୍ତି? ବଡ଼ କାରଣ ହେଉଛି ସାଙ୍ଗମାନଙ୍କ ସହ ମିଳାମିଶା, ସେମାନଙ୍କ ପରିବାରକୁ ଯିବାଆସିବା। ବୟସ ଯାହା ସେମାନେ ସମ୍ଭାଳିଯିବେ, କିନ୍ତୁ ସେମାନଙ୍କ ଦ୍ୱାରା ଯେ କୋଭିଡ୍‌ ୧୯ ଓ ତାହାର ବିବର୍ତ୍ତିତ ରୂପ ଭୁବନେଶ୍ୱର ସାରା ବ୍ୟାପିଯିବ ସେମାନେ ଭୁଲି ଯାଇଛନ୍ତି। କରୋନା ଭାଇରସ୍‌ ସମ୍ବନ୍ଧରେ ଜାରି ହୋଇଥିବା ନିୟମମାନ ମାନିଥିଲେ ସେମାନେ ସଂକ୍ରମଣର ବାହକ ହୋଇନଥାନ୍ତେ। ଆମେରିକାରେ ବି ଡରହାମ୍‌ରେ ଡ୍ୟୁକ୍‌ ୟୁନିଭର୍ସିଟିର ୧୮୦ ଛାତ୍ରୀଛାତ୍ର ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସେମାନେ ଅତିକମ୍‌ରେ ସପ୍ତାହେ ରୁମ୍‌ ଭିତରେ ରହିବେ, ଅତି ଦରକାର ନ ହେଲେ ବାହାରକୁ ବାହାରିବେ ନାହିଁ ବୋଲି କୁହାଯାଇଛି। କ୍ୟାମ୍ପସ୍‌ ବାହାରେ ଫ୍ରାଟର୍ନିଟି ରିକ୍ରୁଟମେଣ୍ଟ ବେଳେ ବ୍ୟକ୍ତିମାନଙ୍କର ବେଖାତିର ବ୍ୟବହାର ଏମିତି ସଂକ୍ରମଣ ଆଣିଥିବ। ଏମିତିକା ମେଳଣ କରାଇଥିବା ଲୋକ ଏ ସଂକ୍ରମଣ ପାଇଁ ଦାୟୀ ରହିବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆମ ଦେଶରେ ମେଳା ମଉଛବ ସେମିତି ସଂକ୍ରମଣ ବଢ଼ାଇବ।
ପିଲାମାନଙ୍କ ପାଇଁ ଗୋଟିଏ ଭଲ ଖବର- ଆମେରିକାର ଏକ ଅନୁଧ୍ୟାନ କହିଛି ଯେ; ଶ୍ରେଣୀଗୃହରେ ଛ’ ଫୁଟ୍‌ ନୁହେଁ, ତିନି ଫୁଟ୍‌ ଦୂରତା ସ୍କୁଲ ପିଲାମାନଙ୍କ ପାଇଁ ଯଥେଷ୍ଟ। ଯଦି ଅନ୍ୟ ସବୁ ନିରାପା ବ୍ୟବସ୍ଥା ଠିକ୍‌ ଥିବ- ଅର୍ଥାତ୍‌ ମୁଖାପିନ୍ଧା, ହାତଧୁଆ ନିୟମ ମାନୁଥିବେ। ଅବଶ୍ୟ ଶ୍ରେଣୀଗୃହ ଡିସ୍‌ଇନ୍‌ଫେକ୍ଟେଡ୍‌ ହେଉଥିବ। କ୍ଲିନିକାଲ୍‌ ଇନ୍‌ଫେକ୍ସସ୍‌ ଡିଜିଜେସ୍‌ ପତ୍ରିକାରେ ସମ୍ପ୍ରତି କୁହାଯାଇଛି। ତା’ହେଲେ ପିଲାମାନେ ସ୍କୁଲକୁ ଫେରିପାରିବେ। କିନ୍ତୁ ପ୍ରକୃତ ସଂକ୍ରମଣ ଜଣାପଡ଼ିବ ନାହିଁ। କାରଣ କରୋନା ଭାଇରସ୍‌ରେ ସଂକ୍ରମିତ ପିଲାଏ ପ୍ରାୟ ହସ୍ପିଟାଲକୁ ଆସିବା ଭଳି ବେମାର ହେବେ ନାହିଁ। ପିଲା ଓ କିଶୋର କିଶୋରୀମାନେ ଗୁରୁତର ବେମାରରେ ପଡ଼ିିବାର ସମ୍ଭାବନା ବୟସ୍କମାନଙ୍କ ତୁଳନାରେ ବହୁତ କମ୍‌। ସେମାନେ ପ୍ରାୟ ହସ୍ପିଟାଲ୍‌ ଆସିବେ ନାହିଁ କି ସେମାନଙ୍କ ଉପରେ ପରୀକ୍ଷା କରାଯିବ ନାହିଁ। ଅସଲ କଥା ହେଉଛି, ଯେ ଯାଏ ତୁମେ ବଡ଼ ବଡ଼ ମେଳାରେ ପଶୁଛ ବା ବହୁ ଲୋକଙ୍କ ମେଳରେ ରହୁଛ, ତୁମେ ଯଦି କରୋନାବିରୋଧୀ ସୁରକ୍ଷା ନିୟମ ସବୁ ନ ମାନୁଛ, ତୁମେ ଯେତେଥର ଟେଷ୍ଟରେ ନେଗେଟିଭ୍‌ ହେଲେ ବି ତୁମେ ବା ତୁମର ନିଜ ଲୋକେ ସଂକ୍ରମିତ ହେବାର ପରିସ୍ଥିତି ଆଣୁଥିବ।
ରାଜନୈତିକ ବିରୋଧତା ବି ସଂକ୍ରମଣ ବଢ଼ାଉଛି- ଯେମିତି ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ କରୁଛନ୍ତି। ଆମେ ଜାଣୁ, ସେ ପଦ ଛାଡ଼ିବା ପୂର୍ବରୁ ଜାନୁୟାରୀ ମାସରେ ନିଜେ ଚୁପ୍‌ଚାପ୍‌ ଟିକା ନେଇଛନ୍ତି। ସେ ରିପବ୍ଲିକାନ୍‌ମାନଙ୍କ ବହୁତ ପ୍ରିୟ। ସେ ଟିକା ସପକ୍ଷରେ କହିଲେ ଲୋକେ ଟିକା ସଫଳତା ଉପରେ ନିଶ୍ଚିତ ହୋଇଯାଆନ୍ତେ। ସେ ଅର୍ଲାଣ୍ଡୋର ଗୋଟିଏ ମିଟିଂରେ ପ୍ରତ୍ୟେକ ଲୋକ ଟିକା ନିଅନ୍ତୁ ବୋଲି କହିଥିଲେ। କିନ୍ତୁ ରାଜନୈତିକ ବିଭେଦତା ତ ପୂର୍ବତନ ରାଷ୍ଟ୍ରପତିଙ୍କ ରକ୍ତରେ ରହିଛି, ଯେମିତି ଆମ ଦେଶରେ ଏମିତିକା ଲୋକ ବି ଅଛନ୍ତି; ଯେଉଁମାନେ କହୁଛନ୍ତି ଅମୁକ ଟିକା ନିଅନାହିଁ, ସେଥିରେ ଅମୁକ ଅମୁକ ଦୋଷ ଅଛି। କୋଭିଡ୍‌-୧୯ ରୋଗୀ ଆମେରିକାରେ ଖର୍ଚ୍ଚବହୁଳ ନର୍ସିଂ ହୋମଗୁଡ଼ିକରେ ରୋଗଶଯ୍ୟାରେ ବହୁସଂଖ୍ୟାରେ ପ୍ରାଣ ହରାଇଛନ୍ତି ବୋଲି ଆମେ ଶୁଣିଛୁ। କାଲିଫର୍ନିଆ ସରକାର ତ ନର୍ସିଂହୋମ୍‌ ଚେନ୍‌ ବିରୋଧରେ ମକଦ୍ଦମା କରିଛନ୍ତି ଯେ, ସେମାନେ କିପରି ଅସୁରକ୍ଷିତ ପରିସ୍ଥିତି ରଖିଥିବା ସତ୍ତ୍ୱେ ରେଟିଂ ସିଷ୍ଟମ୍‌କୁ ପ୍ରଭାବିତ କରି ବା ହିସାବ ହେରଫେର କରି ଭଲ ରେଟିଂ ପାଇଛନ୍ତି। ଆମ ରାଜ୍ୟରେ ବହୁତ ଘରୋଇ ହସ୍ପିଟାଲ୍‌ (ପ୍ରାଇଭେଟ୍‌ କଲେଜ ଓ ବିଶ୍ୱବିଦ୍ୟାଳୟ କଥା ଛାଡ଼) ଏମିତି ଭାବରେ ଆଇଏସ୍‌ଓ ସାର୍ଟିଫିକେଟ୍‌ ହାସଲ କରୁଛନ୍ତି, ଯେମିତି ବହୁତ ସୋସାଇଟି ଓ ଆସୋସିଏଶନ୍‌ ଭଲ ଅଡିଟ୍‌ ରିପୋର୍ଟ ହାସଲ କରିଥାଆନ୍ତି। ଯେଉଁ ଲୋକେ ଟଙ୍କାକୁ ଭଗବାନ୍‌ ଭାବନ୍ତି, ସେମାନେ ରୋଗୀ-ଶରୀର ନିଶ୍ଚଳ ହୋଇ ଯାଇଥିଲେ ବି ସେ ମରିନାହିଁ ବୋଲି ଆଉ କିଛି ଦିନ ଆଇସିୟୁର ବ୍ୟୟବହୁଳ ଭଡ଼ା ଆଦାୟ କରନ୍ତି। ଏମାନେ କରୋନା ସଂକ୍ରମଣ ବଢ଼ାଉଛନ୍ତି। ସାଧାରଣ ଚିନ୍ତାଶୀଳ ଲୋକେ ଲୋକପ୍ରତିନିଧିମାନଙ୍କୁ ଦାୟୀ କରିବାର ବେଳ ଆସିଗଲାଣି।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri