ଭାକ୍ସିନ ନ ନେଲେ ସେଲୁନ-ପାର୍ଲର ମନା

ଭୋପାଳ,୨୮।୬: କରୋନା ଟିକା ନ ନେଲେ କଟାଯିବନି କେଶ କି ହେବ ନାହିଁ ସେଭିଂ। କିଛି ଏଭଳି ଚେତାବନୀ ଦେଇଛନ୍ତି ମଧ୍ୟପ୍ରଦେଶର ସେଲୁନ ପରିଚାଳକ। ଯୁବପୀଢ଼ି ହୁଅନ୍ତୁ ବା ବୃଦ୍ଧ ସମସ୍ତଙ୍କୁ ଟିକା ନେବା ବାଧ୍ୟତାମୂଳକ। ସୂଚନା ମୁତାବକ ଟିକାକରଣ ପ୍ରତି ଲୋକଙ୍କୁ ସଚେତନତା କରିବା ଏବଂ ଏହି ଅଭିଯାନକୁ ତ୍ୱରାନ୍ବିତ କରିବା ପାଇଁ ମଧ୍ୟପ୍ରଦେଶ ଛିନ୍ଦଓ୍ବାଡ଼ାର ସେଲୁନ ପରିଚାଳକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କୌଣସି ବ୍ୟକ୍ତି ବିନା ଟିକାକରଣ ସାର୍ଟିଫିକେଟ ନେଇ ସେଲୁନ କିମ୍ବା ପାର୍ଲର ଯାଇପାରିବେ ନାହିଁ। ଏହାଦ୍ୱାରା କରୋନା ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇପାରିବ ବୋଲି ସେଲୁନ ପରିଚାଳକ କହିଛନ୍ତି। ସୂଚନାଯୋଗ୍ୟ, କରୋନାକୁ ହରାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ପ୍ରତ୍ୟେକ ବ୍ୟକ୍ତି ଯେପରି ଟିକା ନେଇପାରିବେ ସେଭଳି ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ଅନେକ ଲୋକ ଟିକା ନେବାକୁ ଭୟ କରୁଛନ୍ତି। ଏଭଳି ସ୍ଥିତିରେ ଛିନ୍ଦଓ୍ବାଡା ସେଲୁନ ଆସୋସିଏସନର ଏହି ପଦକ୍ଷେପ ଲୋକଙ୍କୁ ସଚେତନ କରିବାରେ ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି। ସେଲୁନ ପରିଚାଳକଙ୍କ ଆୟୋଜିତ ହୋଇଥିବା ଏକ ବୈଠକରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପଟେ ସମସ୍ତ ସେଲୁନ ପରିଚାଳକ ମଧ୍ୟ ନିଜର ଟିକାକରଣ କରାଇସାରିଛନ୍ତି ବୋଲି ଜିଲାଅଧ୍ୟକ୍ଷ ତଥା ସେଲୁନ ପରିଚାଳକ ସାଗର ବନ୍ଦଓ୍ବୋର ସୂଚନା ଦେଇଛନ୍ତି।

Share