ଆଜିଠୁ ବୟସ୍କଙ୍କୁ ଟିକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବୟସ୍କ ଲୋକ ଟିକା ନେବେ। ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ପ୍ରାଥମିକତା ଦିଆଯିବା ସହ ବହୁବିଧ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ ଟିକା ନେବେ। ପ୍ରାୟ ୨୭ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦେବା ଲାଗି ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ହେଉଛନ୍ତି ୧୦ କୋଟି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ସରକାରୀ ହସ୍ପିଟାଲରେ ମାଗଣା ଟିକା ନେଇପାରିବେ। କିନ୍ତୁ ଘରୋଇ ହସ୍ପିଟାଲରେ ୨୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ରାଜ୍ୟରେ ସରକାରୀ ହସ୍ପିଟାଲ ବ୍ୟତୀତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧୀନରେ ଥିବା ୧୮୩ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରାଇଭେଟ୍‌ କୋଭିଡ୍‌ ଭ୍ୟାକ୍ସିନେଶନ ସେଣ୍ଟର (ପିସିଭିସି) କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ଟି ହସ୍ପିଟାଲରେ ଟିକାକରଣ ହେବ। ୧୨ଟି ସରକାରୀ ହସ୍ପିଟାଲ ଥିବାବେଳେ ୧୦ ଘରୋଇ ହସ୍ପିଟାଲ ରହିଛି। ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବାକୁ ଥିବାବେଳେ ରାଜ୍ୟର ଅନ୍ୟସ୍ଥାନରେ କୋଭିସିଲ୍ଡ୍‌ ଟିକା ଦିଆଯିବ। ସପ୍ତାହକୁ ୫ଦିନ ଟିକାକରଣ କରାଯିବ। ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ତାଲିମ ଦିଆଯାଇଛି। ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬/୭ଟି ମୋବାଇଲ ଟିକା ଟିମ୍‌ ରହିବ। ଅନ୍ୟ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ଏଏନ୍‌ଏମ୍‌ଙ୍କୁ ଟିକାକରଣ କାର୍ଯ୍ୟରେ ଲଗାଯିବ ନାହିଁ। ବ୍ଲକ୍‌ସ୍ତରରେ ଟିକା ଗଚ୍ଛିତ, ଯୋଗାଣ କାର୍ଯ୍ୟ ସୁନିୟନ୍ତ୍ରିତ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଟିକା ନେବା ପାଇଁ ଦୁଇଟି ଉପାୟରେ ପଞ୍ଜୀକରଣ କରାଯିବ। କୋଓ୍ବିନ୍‌ ପୋର୍ଟାଲରେ ଓ ଟିକାକରଣ କେନ୍ଦ୍ରରେ ମଧ୍ୟ ପଞ୍ଜୀକରଣ କରି ବୟସ୍କ ଓ ଗୁରୁତର ରୋଗୀ ଟିକା ନେଇପାରିବେ। ତେବେ ସେମାନେ ଗୁରୁତର ରୋଗରେ ପୀଡ଼ିତ ଥିବା ନେଇ ଏକ ଡାକ୍ତରୀ ସାର୍ଟିଫିକେଟ୍‌ ଦେବାକୁ ପଡ଼ିବ। ଯେଉଁମାନେ ପଞ୍ଜୀକରଣ କରିପାରି ନ ଥିବେ, ସେମାନେ ପ୍ରମାଣପତ୍ର ଦେଖାଇ ଟିକାକରଣ କେନ୍ଦ୍ରରେ ସିଧାସଳଖ ନାମ ପଞ୍ଜୀକରଣ କରି ଟିକା ନେଇପାରିବେ।
ସୂଚନାଯୋଗ୍ୟ, ସାରା ଦେଶରେ ଜାନୁୟାରୀ ୧୬ରୁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଏହାପରେ ଫେବୃୟାରୀ ପ୍ରଥମ ସପ୍ତାହରୁ କୋଭିଡ୍‌ ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ ଆରମ୍ଭ ହୋଇଥିଲା। ଏବେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଉଛି।

Share