ଆଜି ସବୁ ଜିଲାରେ ଟିକାକରଣ

ଭୁବନେଶ୍ୱର, ୧୧।୫(ବ୍ୟୁରୋ):ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହୋଇଛି। ପୂର୍ବରୁ ଦୈନିକ ପ୍ରାୟ ୨ଲକ୍ଷ ଟିକା ଦିଆଯାଉଥିବାବେଳେ ଏହାର ଅଭାବ ଯୋଗୁ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଫଳରେ ରାଜ୍ୟରେ ଦୈନିକ ଟିକାକରଣ ୨୦ହଜାର ତଳକୁ ଖସିଯାଇଥିଲା। ପ୍ରତିଦିନ ବିଭିନ୍ନ ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଉଥିଲା। କିନ୍ତୁ ସୋମବାର ପୁଣି ପୂର୍ବ ପରି ଏହାର ଆରମ୍ଭ ହୋଇଛି। ସେହିପରି ମଙ୍ଗଳବାର ସମସ୍ତ ଜିଲାରେ ଟିକାକରଣ ହେବ। ମୋଟ ୫୪୯ ସେଣ୍ଟର୍‌ରେ ଟିକା ଦିଆଯିବ। ସୋମବାର ରାଜ୍ୟରେ ୧,୩୨,୪୨୯ଜଣ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରେ ସର୍ବାଧିକ ୧,୧୫,୨୬୪ ଜଣ ୪୫ବର୍ଷ ଓ ଊର୍ଦ୍ଧ୍ୱ ବୟସ୍କ ହିତାଧିକାରୀ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଏବେ ମୋଟ ଟିକାକରଣ ୬୨,୮୪,୬୪୪ ହୋଇଥିବା ଜଣାପଡ଼ିଛି।

Share