ଅସୁବିଧାରେ ଟିକା

କରୋନାକୁ ପ୍ରତିହତ କରିବା ଲାଗି ଟିକା ଅମୋଘ ଅସ୍ତ୍ର ବୋଲି କୁହାଯାଉଛି। ଭାରତରେ ଦୁଇଟି ଟିକା-କୋଭିଶିଲ୍ଡ ଓ କୋଭାକ୍ସିନ ଉପଲବ୍‌ଧ ହେଉଛି। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କୋଭିଶିଲ୍ଡ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ରେ ପ୍ରସ୍ତୁତ ହେଉଥିବା ବେଳେ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଦ୍ୱାରା ବିକଶିତ କୋଭାକ୍ସିନ୍‌ ଭାରତ ବାୟୋଟେକ୍‌ ତିଆରି କରୁଛି। ସମୂହ ଟିକାକରଣ ହେବା ପୂର୍ବରୁ ଏହି ଦୁଇଟି ଟିକାର ମାନ ଓ ପରୀକ୍ଷଣ ନେଇ ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଥିଲା। କେନ୍ଦ୍ର ସରକାର ବାରମ୍ବାର ବିଜ୍ଞାପନ ମାଧ୍ୟମରେ କୁହାଇ ହେଲେ ଯେ, ଭାରତୀୟ ଟିକା ସମ୍ପୂର୍ଣ୍ଣ ନିରାପଦ ଓ ତାହାକୁ ସମସ୍ତେ ନେବା ଉଚିତ। ଜନସାଧାରଣ ଭୟ ତ୍ୟାଗ କରି ଏସବୁକୁ ନେବା ଆରମ୍ଭ କଲେ। କିନ୍ତୁ ଚାହିଦା ଅନୁଯାୟୀ ଟିକା ନ ମିଳିବା ଯୋଗୁ ସରକାର ପ୍ରଥମ ଡୋଜ୍‌ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ସମୟ ବ୍ୟବଧାନକୁ ବଢ଼ାଇ ଚାଲିଛନ୍ତି। ଏଭଳି ସ୍ଥଳେ ଟିକାକୁ ନେଇ ଯେଉଁ ବିଷୟ ଏବେ ପଦାକୁ ଆସିଛି ତାହା କେନ୍ଦ୍ର ସରକାରଙ୍କ ଅପାରଗତା ଓ ସ୍ଥଳବିଶେଷରେ ପରିଚାଳନାଗତ ତ୍ରୁଟିକୁ ବ୍ୟାପକ ଭାବେ ଦର୍ଶାଇଛି। ଉଦାହରଣ ସ୍ବରୂପ, ପୂର୍ବରୁ ଭାରତରେ ପୋଲିଓ, ବସନ୍ତ, ମିଳିମିଳା ଆଦି ରୋଗ ପାଇଁ କେନ୍ଦ୍ର ସରକାର ଟିକା ଯୋଗାଡ଼ କରି ପ୍ରତ୍ୟେକ ରାଜ୍ୟର ଚାହିଦା ଅନୁଯାୟୀ ଯୋଗାଇ ଦେଉଥିଲେ। ସେହି ବ୍ୟବସ୍ଥାକୁ ବଜାୟ ରଖି କେନ୍ଦ୍ର ସରକାର ମହଜୁଦ ଟିକା ଅନୁଯାୟୀ ସମୂହ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା କଥା। ଏହି ବ୍ୟବସ୍ଥା ଭାଙ୍ଗି ଦିଆଗଲା।
୨୨ ମେ’ରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ କହିଛନ୍ତି ଯେ, କୋଭିଡ୍‌ ଟିକା କେତେ ମହଜୁଦ ଅଛି ତାହାକୁ ବିଚାର ନ କରି ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନିୟମାବଳୀ ନ ମାନି କେନ୍ଦ୍ର ସରକାର ଭାରତରେ ଟିକାକରଣ ବ୍ୟାପକ କରିଥିଲେ। ତାଙ୍କ କହିବା ଅନୁଯାୟୀ ପ୍ରାରମ୍ଭରେ ୩୦ କୋଟି ଲୋକଙ୍କ ଟିକାକରଣ ପାଇଁ ଯୋଜନା କରାଯାଇଥିବା ବେଳେ ଆବଶ୍ୟକ ଥିଲା ୬୦ କୋଟି ଡୋଜ୍‌। ସରକାର ସେହି ଲକ୍ଷ୍ୟରେ ପହଞ୍ଚତ୍ବା ପୂର୍ବରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଟିକାକରଣ ବିଷୟରେ ଘୋଷଣା କରିଦେଲେ। ଯାଦବ ଯେଉଁ ବିଷୟକୁ ସୂଚିତ କରିଛନ୍ତି, ତାହାକୁ ଗଭୀର ଭାବେ ତର୍ଜମା କରାଯିବା ଦରକାର। ଏକ ବୃହତ୍‌ ଟିକା ପ୍ରସ୍ତୁତକାରୀ କମ୍ପାନୀର ଅନ୍ୟତମ ସର୍ବୋଚ୍ଚ ଅଧିକାରୀ ବାସ୍ତବତାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି। ସେଥିପାଇଁ ତାଙ୍କ ମୁହଁରୁ ସତ କଥା ବାହାରିପଡ଼ିଛି। ଏବେ ତାଙ୍କ ମତଠାରୁ କମ୍ପାନୀ ନିଜକୁ ଦୂରେଇ ରଖିଛି ବୋଲି ଯେଉଁ ସଫେଇ ଦେଇଛି, ତାହା ଚାପରେ ପଡ଼ି କରାଯାଉଛି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଭାରତରେ କୋଭିଶିଲ୍ଡର ମାନ ବିଦେଶରେ ପ୍ରସ୍ତୁତ କୋଭିଶିଲ୍ଡ ସହ ତୁଳନାତ୍ମକ ଭାବେ ଗବେଷଣା କରାଯାଇ ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ତାହାର ପ୍ରଭାବ ନେଇ ଅନେକ ସନ୍ଦେହ ରହିଛି। କୋଭିଶିଲ୍ଡର ପ୍ରଥମ ଡୋଜ୍‌ ନେଇଥିବା ଅନେକ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ଆଖିଦୃଶିଆ ବୃଦ୍ଧି ପାଉନାହିଁ। ଏଭଳି ତଥ୍ୟ ସାମ୍ନାକୁ ଆସିବା ହେତୁ ଭାରତରେ ପ୍ରସ୍ତୁତ କୋଭିଶିଲ୍ଡର ପ୍ରଭାବ ସନ୍ଦେହକୁ ଚାଲିଯାଉଛି।
କୋଭାକ୍ସିନ୍‌କୁ ସରକାର ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିକା ବୋଲି କହି ଡିଣ୍ଡିମ ପିଟୁଛନ୍ତି। ଏପରି କି କେତେକ ରିପୋର୍ଟରେ ଏହା କୋଭିଶିଲ୍ଡଠାରୁ ଅଧିକ ପ୍ରଭାବୀ ବୋଲି କୁହାଗଲାଣି। କିନ୍ତୁ ଆଶ୍ଚର୍ଯ୍ୟ ହେବା ଭଳି ଏକ ଖବର ବର୍ତ୍ତମାନ ପ୍ରକାଶ ପାଇଛି। ଡବ୍ଲ୍ୟୁଏଚ୍‌ଓ କହିଛି ଯେ, ତା’ର ଟିକା ତାଲିକାରେ କୋଭାକ୍ସିନ୍‌ ନାହିଁ। ଏହାର ଗୁଣବତ୍ତା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଯେଉଁ ଗବେଷଣାତ୍ମକ କାଗଜପତ୍ର ମଗାଯାଇଥିଲା ଭାରତ ତାହାର ସନ୍ତୋଷଜନକ ଉତ୍ତର ଦେଇନାହିଁ। ତେଣୁ ଯେଉଁ ଭାରତୀୟ କୋଭାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ନେଇ ପ୍ରମାଣପତ୍ର ପାଇଛନ୍ତି, ସେମାନଙ୍କୁ ବିଦେଶ ଯାତ୍ରା କରିବାର ଅନୁମତି ମଧ୍ୟ ମିଳିବ ନାହିଁ। ଏଥିରୁ ବୁଝିବାକୁ ହେବ ଯେ, କୋଭାକ୍ସିନ୍‌ ଡବ୍ଲ୍ୟୁଏଚ୍‌ଓ ମାନକ ପୂରଣ କରିବାରେ ଅସମର୍ଥ ହୋଇଛି। କୋଭାକ୍ସିନ୍‌ ନେବା ପୂର୍ବରୁ ଯେଉଁ ଭୟ ଭାରତୀୟଙ୍କ ମନରେ ଜାତ ହୋଇଥିଲା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ତାହାକୁ ସିଦ୍ଧ କରିଦେଉଛି।
ନିଜ ଲୋକଙ୍କ ଚାହିଦା ମେଣ୍ଟାଇବା ସକାଶେ ଉପରୋକ୍ତ ଦୁଇ ଟିକାକୁ ଛାଡ଼ି ଦେଇ ବିଦେଶରୁ ଅନ୍ୟାନ୍ୟ ଟିକା ଆଣିବା ପାଇଁ ଓଡ଼ିଶା ସମେତ ଅନେକ ରାଜ୍ୟ କିଛିଦିନ ପୂର୍ବରୁ ଘୋଷଣା କରିଥିଲେ। ଏଥିପାଇଁ ବିଭିନ୍ନ ରାଜ୍ୟ ଗ୍ଲୋବାଲ ଟେଣ୍ଡର କରିଛନ୍ତି। ୨୩ ମେ’ରେ ଖବର ମିଳିଛି ଯେ, ପଞ୍ଜାବ ସରକାରକୁ ମଡର୍ନା ସିଧାସଳଖ ଟିକା ଦେବାକୁ ମନା କରିଦେଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ତାହା କେବଳ ଭାରତ ସରକାରଙ୍କ ସହ ଏ ଦିଗରେ ଚୁକ୍ତିବଦ୍ଧ। ଏହା ଜଣାଶୁଣା ଯେ, ପ୍ରତ୍ୟେକ ଦେଶ ତା’ର ନାଗରିକଙ୍କ ପାଇଁ କେନ୍ଦ୍ରୀୟ ସ୍ତରରେ ଟିକା କ୍ରୟ କରୁଛନ୍ତି। ମଡର୍ନାର ନିଷ୍ପତ୍ତି ଯଦି ଅନ୍ୟ ବିଦେଶୀ ଟିକା କମ୍ପାନୀକୁ ପ୍ରଭାବିତ କରେ, ତେବେ ରାଜ୍ୟଗୁଡ଼ିକ ସେମାନଙ୍କ ଲୋକଙ୍କୁ ଚାହିଦା ମୁତାବକ ଟିକା ଦେବାରେ ବିଫଳ ହେବେ। ଏଥିରୁ ପ୍ରମାଣ ମିଳୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପଟେ ରାଜ୍ୟଗୁଡ଼ିକୁ ସ୍ବାଧୀନ ଛାଡ଼ି ଦେଇ କହୁଛନ୍ତି ସେମାନେ ଟିକାର ବ୍ୟବସ୍ଥା ସ୍ବୟଂ କରନ୍ତୁ। ଅନ୍ୟପଟେ ବିଦେଶୀ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାର ବ୍ୟତୀତ ଅନ୍ୟ କାହା ସଙ୍ଗେ ବ୍ୟବସାୟ କରିବାକୁ ଅସ୍ବୀକାର କରିଦେଉଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଜିଲାପାଳମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରି କହିଛନ୍ତି, କୌଣସି ସ୍ଥାନରେ ଟିକା ଯେମିତି ନଷ୍ଟ ନ ହୁଏ। ଜିଲାପାଳମାନେ ନିଜ ନିଜ ଢଙ୍ଗରେ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରିଆସୁଛନ୍ତି। ଏହା ସତ୍ୟ ଯେ, ସେଥିରୁ ଅଧିକାଂଶ ବିଫଳ ମଧ୍ୟ ହେଉଛନ୍ତି। କିନ୍ତୁ ଗୋଟିଏ ପଟେ ଟିକାର ଅଭାବ ଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ତରରୁ ଉପଦେଶ ଦିଆଗଲେ ବିଶୃଙ୍ଖଳା ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଯେଉଁ ରାଜ୍ୟଗୁଡ଼ିକ ଗ୍ଲୋବାଲ ଟେଣ୍ଡର ଘୋଷଣା କରିଛନ୍ତି, ସେମାନେ ଭାରତର ଅନ୍ୟ ରାଜ୍ୟ ସହିତ ଟଣାଓଟରା ହେଉନାହାନ୍ତି। ସମଗ୍ର ପୃଥିବୀବ୍ୟାପୀ ଉତ୍ପାଦିତ ସୀମିତ ଟିକା ହାସଲ ସକାଶେ ଅନ୍ୟ ଦେଶଗୁଡ଼ିକ ସହିତ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ଏବେ ଭୟ ଉପୁଜୁଛି, ପଞ୍ଜାବ ସହ ସିଧାସଳଖ ବ୍ୟବସାୟ କରିବା ପାଇଁ ମଡର୍ନା କମ୍ପାନୀ ଯେମିତି ମନା କରିଦେଇପାରୁଛି, ସେଭଳି ସ୍ଥାନେ ଭାରତର ସ୍ଥିତି ଭୟାବହ ହୋଇଯାଇପାରେ।