ଟିକାକରଣ: ଭାରତ ବନାମ ଅବଶିଷ୍ଟ ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତର କରୋନା ନିରୋଧୀ ଟିକାକରଣ ସଫଳତା ବଖାଣିବାକୁ ଯାଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ସରକାରଙ୍କ ସାମର୍ଥ୍ୟକୁ ନେଇ ପ୍ରଶ୍ନ କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ ମିଳିଥିବା ସେ କହିଛନ୍ତି। କଂଗ୍ରେସ ମତରେ ମୋଦି ଓ ତାଙ୍କ ମନ୍ତ୍ରୀମାନେ ଭୁଲ୍‌ ତଥ୍ୟ ଦେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି। ତେବେ ଭାରତର ଟିକାକରଣକୁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ତୁଳନା କଲେ ସଫଳତାର ବାସ୍ତବତା ଜାଣି ହେଉଛି।

ଭାରତୀୟଙ୍କୁ ୧୦୦ କୋଟି ଡୋଜ୍‌ ଟିକାଦାନ ପାଇଁ ୨୮୧ ଦିନ ଲାଗିଛି। ଭାଜପା ଏହାକୁ ଏକ ବଡ଼ ସଫଳତା ବୋଲି ନିଜ ପିଠି ନିଜେ ଥାପୁଡ଼ାଉଥିବାବେଳେ କେନ୍ଦ୍ରର ମୋଦି ସରକାର ଭୁଲ୍‌ ତଥ୍ୟ ଦେଇ ଦେଶକୁ ଭ୍ରମିତ କରୁଥିବା ବିରୋଧୀ ସମାଲୋଚନା କରିଛନ୍ତି। କୋଭିଡ୍‌ -୧୯ ମହାମାରୀରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ଚାଲିଥିବା ଟିକାକରଣର ଗତିକୁ ଦେଖିଲେ ଦେଶବାସୀ ଆଶ୍ୱସ୍ତ ହେଉଛନ୍ତି। କାରଣ ଯକ୍ଷ୍ମା ଟିକାଦାନରେ ୧୦୦ କୋଟି ଡୋଜ୍‌ ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ଭାରତକୁ ୩୨ ବର୍ଷ ଲାଗିଥିଲା। ସେହିପରି ପୋଲିଓ ନିରାକରଣ ଲାଗି ୧୦୦ କୋଟି ଡୋଜ୍‌ ଟିକାକରଣ ସକାଶେ ୨୦ ବର୍ଷ ଲାଗିଥିଲା।
ସଂଖ୍ୟା ଦୃଷ୍ଟିରୁ ବିଚାର କଲେ କେବଳ ଭାରତ ଓ ଚାଇନା ବିଲିୟନ୍‌ ଡୋଜ୍‌ କ୍ଲବ୍‌ରେ ସାମିଲ ହୋଇପାରିଛନ୍ତି। ଅନ୍ୟ କୌଣସି ରାଷ୍ଟ୍ର ନିଜ ନାଗରିକଙ୍କୁ ଏଯାଏ ୧୦୦ କୋଟି ଡୋଜ୍‌ ଟିକା ଦେଇନାହାନ୍ତି। ଭାକ୍ସିନ ଟ୍ରାକରର ବୈଶ୍ୱିକ ତଥ୍ୟକୁ ଅନୁଶୀଳନ କଲେ ଜଣାପଡ଼େ ଯେ, ଟିକାକରଣ କ୍ଷେତ୍ରରେ ଭାରତର ସ୍ଥାନ ହେଉଛି ଦ୍ୱିତୀୟରେ। ଭାରତ ପଛରେ ଅଛନ୍ତି ଆମେରିକା, ବ୍ରାଜିଲ, ଜାପାନ, ଇଣ୍ଡୋନେସିଆ, ତୁର୍କୀ, ମେକ୍ସିକୋ, ଜର୍ମାନୀ, ଫ୍ରାନ୍ସ, ରୁଷିଆ ଏବଂ ବ୍ରିଟେନ ଭଳି ରାଷ୍ଟ୍ର। କେନ୍ଦ୍ର ସରକାରଙ୍କ ମତରେ ଭାରତରେ ଜାପାନ ତୁଳନାରେ ୫, ଜର୍ମାନୀ ଅପେକ୍ଷା ୯ ଏବଂ ଫ୍ରାନ୍ସ ତୁଳନାରେ ୧୦ ଗୁଣ ଟିକା ଦିଆଯାଇଛି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏଥିରେ ନାଟକୀୟ ଭାବେ ଫରକ ଦେଖିବାକୁ ମିଳୁଛି। ଜନ୍ସ ହୋପ୍‌କିନ୍ସ ୟୁନିଭର୍ସିଟିର ତଥ୍ୟାନୁସାରେ ଏହି କ୍ଷେତ୍ରରେ ୮୭.୨୬% ଟିକାକରଣ ସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ୟୁଏଇ ପଛକୁ ପର୍ତ୍ତୁଗାଲ, ମାଲ୍ଟା, ସିଙ୍ଗାପୁର ଓ ସ୍ପେନ୍‌ ରହିଛନ୍ତି। ଏହି ଦେଶଗୁଡ଼ିକର ୮୦%ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇସାରିଛି। ସେହିପରି ଚାଇନାର ୭୪.୯୭ ଲୋକ ଟିକା ନେଲେଣି। ସେଠାରେ ୧୦୦ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲେ ହେଁ ଚାଇନା ଏହି କ୍ଷେତ୍ରରେ ତ୍ରୟୋଦଶ ସ୍ଥାନରେ ରହିଛି। ଅଦ୍ୟାବଧି ଭାରତର ମାତ୍ର ୨୦.୫୫% ଲୋକ ଟିକା ନେଇଛନ୍ତି, ଯାହାକି ପଡ଼ୋଶୀ ନେପାଳ, ଶ୍ରୀଲଙ୍କା ଓ ଭୁଟାନଠାରୁ କମ୍‌। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଟିକାକରଣରେ ଏଭଳି ଅସମାନତା ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ବିକଶିତ ରାଷ୍ଟ୍ରଗୁଡ଼ିକ ବିକାଶଶୀଳ ଦେଶ ତୁଳନାରେ ନିଜ ନାଗରିକଙ୍କୁ୍‌ ତ୍ୱରିତ ବେଗରେ ଟିକା ଦେଉଛନ୍ତି।

Share