ଭୁବନେଶ୍ୱର,୧୮।୪(ବ୍ୟୁରୋ): ଟିକା ନ ଥିବାରୁ ସୀମାନ୍ତ ୩ ହଟ୍ସ୍ପଟ୍ ଜିଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୧,୫୦୦ କେନ୍ଦ୍ର ମଧ୍ୟରୁ ୧,୦୭୩ଟିରେ ଟିକାକରଣ ବନ୍ଦ ରଖାଯାଇଛି। ୧୦ ସୀମାନ୍ତ ଜିଲାର ସହରାଞ୍ଚଳରେ ହୋଇଥିବା ସପ୍ତାହାନ୍ତ ଶଟ୍ଡାଉନ ଯୋଗୁ ସେଠି ମଧ୍ୟ ଟିକାକରଣ ବନ୍ଦ ରଖାଯାଇଛି। ରାଜ୍ୟରେ ଯେତିକି ଟିକା ରହିଛି, ତାହା ୨ରୁ ୩ ଦିନ ଟିକାକରଣ ହୋଇପାରିବ। ଏବେ ରାଜ୍ୟରେ ୩.୬ ଲକ୍ଷ କୋଭିଶିଲ୍ଡ ଟିକା ଓ ୨.୩ ଲକ୍ଷ କୋଭାକ୍ସିନ ଟିକା ରହିଛି। ଟିକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଛୁ ବୋଲି ପାଣିଗ୍ରାହୀ କହିଛନ୍ତି।