ଘର ପାଖରେ ଟିକାକରଣ ମାମଲା: ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ, ୨୯ା୭: ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘର ପାଖରେ ଟିକା ପ୍ରଦାନ ନେଇ ସବିଶେଷ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା କେତେଜଣ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଟିକାକରଣ କରାଯାଇଛି, କେତେ ଟିକା ଦେବାକୁ ଯୋଜନା ହୋଇଛି ସେ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ବିସ୍ତୃତ ରିପୋର୍ଟ ଦାଖଲ କରିବ। ଏଥିସହ ପରିଚୟପତ୍ର ନ ଥିବା ଲୋକଙ୍କ ପାଇଁ କି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ଜଣାଇବେ। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏହି ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୭ରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ସେହିପରି ସ୍ବାସ୍ଥ୍ୟ ବିଭାଗ ଦେଇଥିବା କୋଭିଡ୍‌ ମୃତ୍ୟୁର ଜିଲାୱାରି ରିପୋର୍ଟର ଏକ ସାନି ରିପୋର୍ଟ ଦାଖଲ କରିବେ। କୋଭିଡ୍‌ ଟିକା ଓ ଟେଷ୍ଟିଂ ପାଇଁ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକମାନେ ଟିକାକରଣ କେନ୍ଦ୍ରକୁ ଯାଇପାରୁନାହାନ୍ତି। ଏନେଇ ସୋହନ ମିଶ୍ର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। କେନ୍ଦ୍ର ସରକାର ଟିକା ଦେଉଥିବାବେଳେ ଟିକାକରଣ ରାଜ୍ୟ ସରକାର କରୁଥିବା ଜବାବରେ ଦର୍ଶାଇଥିଲେ। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଟିକା ଘରେ ଦେବା ସମ୍ଭବ ନୁହେଁ, ସେମାନଙ୍କ ଘର ନିକଟବର୍ତ୍ତୀ ସ୍ଥାନରେ ଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି ରାଜ୍ୟ ସରକାର ଜବାବରେ ଦର୍ଶାଇଥିଲେ।

Share