ଟିକାକରଣ ଉପରେ ସନ୍ଦେହ କରାଯିବା ଅନୁଚିତ, ଦେଶ ପାଇଁ ଏହା ସୁରକ୍ଷା କବଚ…

ନୂଆଦିଲ୍ଲୀ,୨୫।୧୦: ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ଉପରେ ସନ୍ଦେହ କରିବା ଅନୁଚିତ। ଏହା ଦେଶର ଜନସଂଖ୍ୟା ପାଇଁ ସୁରକ୍ଷା କବଚ ପାଲଟିଛି। ଏଭଳି କହି ସୋମବାର କ୍ଲିନିକାଲ ପରୀକ୍ଷା ପର୍ଯ୍ୟନ୍ତ ଟିକାକରଣ ବନ୍ଦ କରିବାକୁ କରାଯାଇଥିବା ଏକ ଆବେଦନକଚ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

କର୍ନାଟକ ହାଇକୋର୍ଟର ମେ‘ ମାସର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ନୂତନ ଡ୍ରଗ୍ସ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଏବଂ ଜାତୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିନ ଥେରାପି ଉତ୍ପାଦ ବିକାଶ ଏବଂ କ୍ଲିନିକାଲ ଟ୍ରାଏଲ-୨୦୧୯ ର ସମସ୍ତ ପର୍ଯ୍ୟାୟ ସମାପ୍ତ ହୋଇ ନାହିଁ। ଏହାର ଶେଷ ହେବା ପର୍ଯ୍ୟନ୍ତ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକାକରଣ ବନ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ଟିକାକରଣ ଉପରେ ବିତର୍କ ହେଉ ଏହା ଆମେ ଚାହୁଁନାହୁଁ। ଟିକାକରଣ ଉପରେ ସନ୍ଦେହ କରିବାର ଆବଶ୍ୟକ ନାହିଁ। ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ । ମହାମାରୀ ଇତିହାସରେ ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି। ଭାରତ ପୃଥିବୀର ଏକମାତ୍ର ଦେଶ ନୁହେଁ ଯେଉଁଠାରେ ଟିକାକରଣ ଅଭିଯାନ ଜାରି ରହିଛି। ତେଣୁ ଏହି ଆବେଦନକୁ ଖାରଜ କରାଯାଉଛି।

ମେ‘ ମାସରେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଅଭୟ ଓକା ଏବଂ ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଥିଲେ ଯେ ଏହି ଆବେଦନ ଜନସାଧାରଣଙ୍କ ସ୍ବାର୍ଥରେ ନୁହେଁ ଏବଂ ଦ୍ୱିତୀୟ ତଥା ତୃତୀୟ ଆବେଦନକାରୀଙ୍କ ଉପରେ ୫୦,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ କରିଥିଲେ। ଜରିମାନାକୁ ଏକ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ନିତିନ କହିଛନ୍ତି ଯେ କ୍ଲିନିକାଲ ପରୀକ୍ଷା ବିନା ଟିକା ବ୍ୟବହାରକୁ ଅନୁମତି ଦେବା ନିୟମର ଉଲ୍ଲଂଘନ ଅଟେ। ଏହି ଟିକାକରଣର ଉପାଦାନଗୁଡ଼ିକ ଜିନ ଥେରାପି ଉତ୍ପାଦ ବର୍ଗରେ ରହିଥାଏ ଏବଂ ତେଣୁ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପଡିବ। ସଂକ୍ଷେପରେ, ସେ ଦାଖଲ କରିଛନ୍ତି ଯେ ଜନସାଧାରଣଙ୍କ ପାଇଁ କୋଭାକ୍ସିନ ଏବଂ କୋଭିଶିଲ୍ଡ ପ୍ରୟୋଗ କରିବା କ୍ଷତିକାରକ ଏବଂ ବେଆଇନ।

ଶୁଣାଣି ସମୟରେ ଖଣ୍ଠପୀଠ ତାଗିଦ୍‌ କରିଛନ୍ତି ଯେ ଯଦି ଆମେ ଏହି ପ୍ରାର୍ଥନା ଗ୍ରହଣ କରୁ ଏବଂ ଲୋକମାନେ ସଂକ୍ରମିତ ହୁଅନ୍ତି, ତେବେ ଆପଣ ଦାୟିତ୍ୱ ଗ୍ରହଣ କରିବେ କି? ବେଞ୍ଚ ଆହୁରି ମଧ୍ୟ କହିଛି ଯେ ଆପଣ କରୁଥିବା କାର୍ଯ୍ୟ କ୍ଷତିକାରକ ହୋଇପାରେ। ଜୋରିମାନା ସହିତ ଆବେଦନକୁ ଖାରଜ କରାଯିବା ଉଚିତ ବୋଲି ଖଣ୍ଠପୀଠ କହିଛନ୍ତି। ଖଣ୍ଡପୀଠ ଆବେଦନକାରୀଙ୍କୁ ପଚାରିଥିଲେ ଯେ, ସେ ଏହାକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି କି? ଏହି ପ୍ରଶ୍ନରେ ଉପରେ ଆଡଭୋକେଟ ନିତିନ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କୁ ଏହି କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖଣ୍ଡପୀଠ କହିଛନ୍ତି, ଆମେ ଧ୍ୟାନ ଦେବା ଉଚିତ ଯେ ଏହି ଅଦାଲତ କୋଭିଡ୍‌-୧୯ ର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟଠାରୁ ଏସମ୍ପର୍କିତ ବିଭିନ୍ନ ମାମଲା ଉପରେ ଶୁଣାଣି କରିଛନ୍ତି। ଅଦାଲତ ପ୍ରବାସୀମାନଙ୍କ ଅଧିକାର, ଖାଦ୍ୟ ସୁରକ୍ଷା, ଅମ୍ଳଜାନର ଉପଲବ୍ଧତା ଇତ୍ୟାଦି ପ୍ରସଙ୍ଗ ଉପରେ ବିସ୍ତୃତ ବିଚାର କରିଛନ୍ତି । ଅଭିଯୋଗକାରୀ ଏବଂ ବାରର ସଦସ୍ୟମାନେ ସମାନ ପ୍ରସଙ୍ଗ ସହ ଜଡିତ ଅନେକ ପିଟିଶନ ଦାଖଲ କରୁଛନ୍ତି।

କୋର୍ଟ ଏହା ମଧ୍ୟ ରେକର୍ଡ କରିଛନ୍ତି ଯେ ଟିକା ଅଭିଯାନ ଜାନୁୟାରୀ ୨୦୨୧ରେ ଆରମ୍ଭ ହୋଇଥିଲା। ଟିକାକରଣକୁ ବନ୍ଦ କରିବା ପାଇଁ ଦାଖଲ ହୋଇଥିବା ଆବେଦନ ଜନସାଧାରଣଙ୍କ ହିତରେ ନାହିଁ। ତେଣୁ, ଆମେ ଜନସାଧାରଣଙ୍କ ସ୍ବାର୍ଥରେ ଦାଖଲ ହୋଇ ନ ଥିବା ଆଧାରରେ ଆବେଦନ ଉପରେ ଣୁଣାଣି କରିବାକୁ ମନା କରିଦେଉଛୁ।

ତେବେ ଜରିମାନା ଆଦାୟ ପାଇଁ ଏହା ଏକ ଉପଯୁକ୍ତ ମାମଲା। କାରଣ ଆବେଦନର ଶୁଣାଣି ୪୫ ମିନିଟ ନେଇଛି। ଏହି ସମୟରେ ଅମ୍ଳଜାନ ଉପଲବ୍ଧ ନ ହେବା, ଖାଦ୍ୟ ନିରାପତ୍ତା ଇତ୍ୟାଦି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଉତ୍ସର୍ଗୀକୃତ ହୋଇପାରିଥାନ୍ତା। ଖଣ୍ଡପୀଠ ଶୁଣାଣି ଶେଷ କରି କହିଛନ୍ତି ଯେ, ପ୍ରଥମ ଆବେଦନକାରୀ ଜଣେ ସେନା ଅଧିକାରୀ ବୋଲି ବିଚାର କରି ଦ୍ୱିତୀୟ ତଥା ତୃତୀୟ ଆବେଦନକାରୀଙ୍କୁ ୫୦,୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଉଛୁ।

 

Share