ପରୀକ୍ଷା ତଥ୍ୟକୁ ସାର୍ବଜନୀନ ବିନା ଭାକ୍ସିନ୍‌କୁ ମଞ୍ଜୁରୀ, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୯।୮: କରୋନା ଟିକା ପରୀକ୍ଷା ତଥ୍ୟକୁ ସାର୍ବଜନୀନ ନ କରି ଭାକ୍ସିନ୍‌କୁ ମଞ୍ଜୁରୀ ମିଳିବା ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ କରାଯାଇଛି। ପିଟିଶନର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମ୍‌ଆର୍‌ ନିକଟକୁ ନୋଟିସ୍‌ ପଠାଇଛନ୍ତି। ଟ୍ରାଏଲ ତଥ୍ୟ ବିଷୟରେ ଜାଣିବାର ଅଧିକାର ଲୋକଙ୍କ ପାଖରେ ଅଛି ବୋଲି ଆବେଦନକାରୀ ଯାକବ ପୁଲିୟେଲ ଦାବି କରିଥିଲେ। ଏହା ସହିତ ଭାକ୍ସିନ ନେବା ଦ୍ୱାରା ଉପୁଜୁଥିବା ସ୍ବାସ୍ଥ୍ୟ ସମସ୍ୟା ଏବଂ ବିପଦ କ’ଣ ତାହା ମଧ୍ୟ ଜାଣିବା ଉଚିତ ବୋଲି ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୁଷଣ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତରେ ଟିକା ବିଷୟରେ ଲୋକଙ୍କ ମଧ୍ୟରେ ପୂର୍ବରୁ ଅନେକ ଦ୍ୱନ୍ଦ୍ୱ ରହିଛି। ଏପରିସ୍ଥଳେ ପରୀକ୍ଷା ତଥ୍ୟକୁ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ବିଚାରପତି ଏଲ୍‌.ନାଗେଶ୍ୱର ରାଓ କହିଛନ୍ତି ଯେ ଦେଶରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଟିକାଦାନକୁ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ଉପରେ ସୁପ୍ରିମ୍‌କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

Share