ଭାକ୍ସିନ୍‌ ବେପାର: ଘରୋଇ ହସ୍ପିଟାଲରେ ଗୋଟିଏ ଡୋଜ୍‌ ଦାମ୍‌ ୯୦୦ରୁ ୧୪୦୦ ଟଙ୍କା…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କେତେକ ଘରୋଇ ହସ୍ପିଟାଲକୁ ଟିକାଦାନ ଲାଗି ଅନୁମତି ପ୍ରଦାନ କରାଯାଇଛି। ତେବେ ଭାକ୍ସିନ୍‌ ବେପାରରେ ଘରୋଇ ହସ୍ପିଟାଲଗୁଡ଼ିକରେ ଧାର୍ଯ୍ୟ ହୋଇଥିବା ଦାମ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହେବାରେ ଲାଗିଛି। ସରକାରୀ ନିର୍ଦ୍ଦେଶ ଅନୁସାରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ ଭାକ୍ସିନ୍‌ର ଗୋଟିଏ ଡୋଜ୍‌ ଘରୋଇ ହସ୍ପିଟାଲକୁ ୧୫୦ ଟଙ୍କାରେ ଯୋଗାଇ ଦିଆଯିବ। ଘରୋଇ ହସ୍ପିଟାଲ ପକ୍ଷରୁ ୧୦୦ ଟଙ୍କାର ସର୍ଭିସ୍‌ ଟ୍ୟାକ୍ସ୍‌ ନିଆଯିବ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏହାଦ୍ୱାରା ଘରୋଇ ହସ୍ପିଟାଲରେ ଟିକାର ଗୋଟିଏ ଡୋଜ୍‌ ନେଲେ ୨୫୦ ଟଙ୍କା ଦେବାକୁ ପଡ଼ିବ। ମାତ୍ର ଘରୋଇ ହସ୍ପିଟାଲରେ ଭାକ୍ସିନ୍‌ର ଗୋଟିଏ ଡୋଜ୍‌ ୯୦୦ରୁ ୧୪୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏନେଇ ଘରୋଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ୩୦ ଏପ୍ରିଲ୍‌ ପର୍ଯ୍ୟନ୍ତ ଭାକ୍ସିନ୍‌ ନିର୍ମାତାମାନେ ୧୫୦ ଟଙ୍କାରେ ଟିକା ଘରୋଇ ହସ୍ପିଟାଲକୁ ଯୋଗାଇ ଦେଉଥିଲେ। ମାତ୍ର ମେ’ ୧ ପରେ କୋଭିଶିଲ୍ଡ୍‌ ୬୦୦ ଟଙ୍କାରେ ଯୋଗାଇ ଦିଆଯାଉଛି। ଏହା ଉପରେ ୫ ପ୍ରତିଶତ ଜିଏସ୍‌ଟି ସହିତ ସର୍ଭିସ୍‌ ଶୁଳ୍କ ମିଶାଇ ଏହା ୮୦୦ରୁ ୯୦୦ ଟଙ୍କା ହେଉଥିବା ଘରୋଇ ହସ୍ପିଟାଲ ପକ୍ଷରୁ କୁହାଯାଉଛି। ସେହିପରି କୋଭାକ୍ସିନ୍‌ ୧୨୦୦ ଟଙ୍କାରେ ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯାଉଛି। ଏହା ଉପରେ ଜିଏସ୍‌ଟି ଏବଂ ସର୍ଭିସ୍‌ ଶୁଳ୍କ ମିଶାଇ କୋଭାକ୍ସିନ୍‌ର ଦାମ ୧୪୦୦ ଟଙ୍କାରେ ଘରୋଇ ହସ୍ପିଟାଲରେ ମିଳୁଛି। ଭାକ୍ସିନ୍‌ର ଦୁିଇଟି ଡୋଜ୍‌ ନେବା ଦ୍ୱାରା ସାଧାରଣ ଲୋକଙ୍କୁ ପାଖାପାଖି ୨୦୦୦ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Share