Categories: ଜାତୀୟ

୨୫୦ରେ ଟିକା

ନୂଆଦିଲ୍ଲୀ, ୨୮।୨: ଘରୋଇ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ଡୋଜ୍‌ ପିଛା ୨୫୦ ଟଙ୍କାରେ ଉପଲବ୍ଧ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହା ସ୍ଥିର ହୋଇଛି। ତେବେ ସରକାରୀ ହସ୍ପିଟାଲ ଓ ଟିକାଦାନ କେନ୍ଦ୍ରରେ ଟିକା ମାଗଣାରେ ମିଳିବ। ମାର୍ଚ୍ଚ ୧ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। ଜନସାଧାରଣ ନିଜ ପସନ୍ଦରେ ଟିକାକେନ୍ଦ୍ର ଚୟନ କରିବେ। ଘରୋଇ ହସ୍ପିଟାଲରେ ଟିକା ନେବାକୁ ଚାହୁଁଥିବା ବ୍ୟକ୍ତି ଡୋଜ୍‌ ପ୍ରତି ୨୫୦ ଟଙ୍କା ଦେବେ। ସେଥିରୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ୧୫୦ ଟଙ୍କା ପାଇବାକୁ ଥିବାବେଳେ ୟୁଜର ଫି ୧୦୦ ଟଙ୍କା ହସ୍ପିଟାଲକୁ ମିଳିବ। ଉକ୍ତ ୧୦୦ ଟଙ୍କାରୁ ଟିକା ଦେଉଥିବା କର୍ମଚାରୀ ୫୦ ଟଙ୍କା ପାଇବେ ବୋଲି ସ୍ଥିର କରାଯାଇଛି।
ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ)ଙ୍କ ନେତୃତ୍ୱରେ ସରକାରୀ ଅଧିକାରୀମାନଙ୍କ ସହ ଦୁଇ ଉତ୍ପାଦନକାରୀ କମ୍ପାନୀର ପ୍ରତିନିଧିଙ୍କର ଏକାଧିକ ପର୍ଯ୍ୟାୟ ବୈଠକ ପରେ ଟିକା ଦର ଧାର୍ଯ୍ୟ ହୋଇଛି। ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ସରକାର ଯେଉଁ ଦରରେ ଟିକା କିଣିଥିଲେ ତାହାଠାରୁ କମ୍‌ ଦରରେ ଘରୋଇ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ। କେନ୍ଦ୍ର ସରକାର ଟିକସକୁ ବାଦ୍‌ ଦେଇ ସିରମ୍‌ ଇନ୍‌ଷ୍ଟିଚ୍ୟୁଟରୁ କୋଭିଶିଲ୍ଡ ୨୦୦ ଟଙ୍କା ଏବଂ ଭାରତ ବାୟୋଟେକ୍‌ଠାରୁ କୋଭାକ୍ସିନ୍‌ ୨୯୫ ଟଙ୍କାରେ କିଣିଥିଲେ। ଗତ ମାସରେ କୋଭିଶିଲ୍ଡ ୧୧ କୋଟି ଏବଂ କୋଭାକ୍ସିନ ୫.୫ କୋଟି ଡୋଜ୍‌ କିଣାଯାଇଥିଲା। ସୋମବାରଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୨୦ ହଜାର ଘରୋଇ ହସ୍ପିଟାଲରେ କେବଳ କୋଭିଶିଲ୍ଡ ଟିକା ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହସ୍ପିଟାଲଗୁଡ଼ିକୁ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ଘରୋଇ ହସ୍ପିଟାଲ ସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।
ଜାନୁୟାରୀ ୧୬ରୁ ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମଚାରୀ ଓ ସମ୍ମୁଖ କୋଭିଡ୍‌ ଯୋଦ୍ଧାମାନଙ୍କୁ ଟିକାଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧.୧୫ କୋଟି କର୍ମଚାରୀ ଟିକା ନେଇଛନ୍ତି। ସପ୍ଟଓ୍ବେରକୁ ବିକଶିତ କରିବା ପାଇଁ ଚଳିତ ସପ୍ତାହାନ୍ତରେ ଟିକାଦାନ ବନ୍ଦ ରଖାଯାଇଛି। କୋଭାକ୍ସିନ୍‌ ନେବାକୁ କର୍ମଚାରୀମାନେ ବିଶେଷ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଟିକାଦାନ ଅଭିଯାନ ମନ୍ଥର ହୋଇଛି। ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୧ ପ୍ରତିଶତ କୋଭାକ୍ସିନ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ।

Share