ନୂଆପଡ଼ା ଅଫିସ,୪।୧୦: ପଶ୍ଚିମ ଓଡିଶାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ କୃଷିଭିତିକ ପର୍ବ ନୂଆଁଖାଇ ପରେ ଆଶ୍ୱିନ ମାସ ଶୁକ୍ଲପକ୍ଷଠାରୁ ଅନ୍ୟ ଏକ ପର୍ବ ପଡିଥାଏ ଭାଇ ଜିଉତିଆଁ ବା ଡାଲଖାଇ। ଭାଇଙ୍କ ମନସ୍କାମନା ପୂର୍ଣ୍ଣ କରିବା ସହ ଦୀର୍ଘାୟୁ କାମନା କରି ଭଉଣିମାନେ ଏହି ପର୍ବ ପାଳନ କରିଥାନ୍ତି। ଦୁର୍ଗାଦେବୀଙ୍କଠାରେ ଭାଇର ସବୁ ଦୁଃଖ ଜଣାଇବା ସହ ପରିବାର ମଙ୍ଗଳ କାମନା କରିଥାନ୍ତି। ଏହି ପର୍ବ ଆଶ୍ୱିନ ଶୁକ୍କପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇ ବିଜୟ ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ଦିନ ତମାମ ଉପବାସ ରହି ବିଭିନ୍ନ ପ୍ରକାର ଡାଲଖାଇ ଗିତ ଗାଇ ଗଣା ବଜାର ତାଳେତାଳେ ନାଚିଥାନ୍ତି ଓ ଅପରାହ୍ନ ସମୟରେ ଗାଁ ପୋଖରୀ କିମ୍ବା ନଈ କୂଳକୁ ଯାଇ ସୁଦ୍ଧ ସ୍ନାନ ହୋଇ ଘରକୁ ଫେରିଥାନ୍ତି। କାହାଣି ପଢିବା ପାଇଁ ଏକ ନେଷ୍ଟିକ ବ୍ରାହ୍ମଣ ବରୁଣ କରି ସନ୍ଧ୍ୟା ସମୟରେ ଗାଁର ମଧ୍ୟ ଭାଗ କାନ୍ଥରେ ଦୁର୍ଗାଦେବୀଙ୍କ ଏକ ଚିତ୍ର ଆଙ୍କି ବା (କୋଠି ସଜାଡି) ସେଠାରେ ସମସ୍ତ କୁଆରୀ ଝିଅ ଏକାଠି ବସି ଭାଇଜିଉତିଆ କାହାଣି ଶୁଣି ଦୁର୍ଗାଙ୍କଠାରେ ସବୁ ମନସ୍କାମନା ପୂର୍ଣ୍ଣ ପାଇଁ ଗୁହାରି କରିଥାନ୍ତି। କାହାଣି ଶୁଣି ସାରି ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇ ବଡମାନଙ୍କ ଠାରୁ ଆଶିର୍ବାଦ ନେଇଥାନ୍ତି। ପରେ ପୁଣି ରାତ୍ରି ସାରା ଡାଲଖାଇ ନାଚ ନାଚି ଭୋର ସକାଳୁ ପୁଣି ପୋଖରୀ କିମ୍ବା ନଈ ଖୂଳକୁ ଯାଇ ସ୍ନାନ କରି ଘରକୁ ଫେରି ଭାଇମାନଙ୍କୁ ବନ୍ଦାପନା କରି ହାତରେ ଭାଇଜିଉତିଆ ବାନ୍ଧିଥାନ୍ତି।