Categories: ଜାତୀୟ

ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଲେ, ଶିକ୍ଷୟିତ୍ରୀ ହେବା ପରେ ପ୍ରିନ୍ସପାଲ୍‌ଙ୍କ ସହ ସ୍ତ୍ରୀ ଫେରାର

ପାଟନା,୧୦।୭: ୟୁପିର ଜ୍ୟୋତି ମୌର୍ଯ୍ୟ ଏବଂ ଆଲୋକ ମୌର୍ଯ୍ୟଙ୍କ କାହାଣୀ ମନରୁ ଲିଭି ନ ଥିବାବେଳେ ବିହାରର ବୈଶାଳୀ ଜିଲାରେ ଏମିତି ଆଉ ଏକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଥିଲେ, କିନ୍ତୁ ଶିକ୍ଷୟତ୍ରୀ ହେବାର ଦେଢ ବର୍ଷ ପରେ ସ୍ତ୍ରୀ ପ୍ରିନ୍ସିପାଲଙ୍କ ସହ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମହିପୁରା ଗାଁର ବାସିନ୍ଦା ଚନ୍ଦନ ୧୩ ବର୍ଷ ପୂର୍ବେ ସରିତା ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ପରେ ସେ ସରିତାଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେଇଥିଲେ ଏବଂ ତାଙ୍କୁ ଅଧ୍ୟୟନ ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଥିଲେ। ନିଜେ ଟଙ୍କା ଖର୍ଚ୍ଚ କରି ତାଙ୍କୁ ପଢାଇଥିଲେ। ଫେବୃଆରୀ ୨୦୨୨ରେ ସରିତା ସରକାର ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ପ୍ରାୟ ଦେଢ ଼ବର୍ଷ ପରେ ସେ ସ୍କୁଲର ପ୍ରିନ୍ସପାଲଙ୍କ ସହ ଫେରାର ହୋଇଯାଇଛନ୍ତି। ଏ ନେଇ ଚନ୍ଦନ ଜୁଲାଇ ୭ରେ ଜାନ୍ଦା ପୋଲିସ ଷ୍ଟେଶନରେ ତାଙ୍କ ପତ୍ନୀ ଏବଂ ସ୍କୁଲ ପ୍ରିନ୍ସପାଲ ରାହୁଲ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ପୋଲିସକୁ ଅନୁରୋଧ କରିଥିଲେ।
ଚନ୍ଦନ କହିଛନ୍ତି, ସେ ସରିତାଙ୍କୁ ତାଙ୍କ ଭଉଣୀଙ୍କ ଶାଶୁ ଘରେ ଭେଟିଥିଲେ, ଯାହା ପରେ ଦୁହେଁ ପ୍ରେମରେ ପଡିଥିଲେ। ଦୁହେଁ ୧୩ ବର୍ଷ ପୂର୍ବେ ବିବାହ କରିଥିଲେ। ଉଭୟଙ୍କର ୧୨ ବର୍ଷର ଝିଅ ଏବଂ ୭ ବର୍ଷର ପୁଅ ଅଛି। ୨୦୧୭ ରେ ସରିତା ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଫେବୃଆରୀ ୨୫, ୨୦୨୨ରେ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।

Share