ଭାଜପା-ବିଜେଡି ମେଣ୍ଟ ହେଲେ ହାତକୁ ଫାଇଦା

କେନ୍ଦୁଝର,୧୫ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜେଡିର ଶାସନ ଥିବା ବେଳେ କଂଗ୍ରେସ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଛି। କେନ୍ଦୁଝର ଜିଲା କଂଗ୍ରେସ ଅଫିସରେ ଚାଲିଥିବା ଖଟିରେ ସ୍ଥାନୀୟ ନେତା ଓ କର୍ମୀ କୁହାକୁହି ହେଉଛନ୍ତି, ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ଭିତିରି ବୁଝାମଣା ଚାଲିଛି। ଯଦି ଏଭଳି ହୁଏ ହାତକୁ ଫାଇଦା ମିଳିବ।
ରାଜ୍ୟରେ ଭାଜପାର ସ୍ଥିତି ସେଭଳି ଭଲ ନ ଥିବାରୁ ବିଜେଡି ସହିତ ବୁଝାମଣା କରି କ୍ଷମତା ହାତେଇବାକୁ ଉଦ୍ୟମ କରାଯାଉଛି। ତେବେ ବିଜେଡି ଓ ଭାଜପା ଏକାଠି ହେଲେ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଖଟିରେ ଚର୍ଚ୍ଚା ହେଉଛି। ପରସ୍ପରକୁ କୁତ୍ସାରଟନା କରିଆସୁଥିବା ବିଜେଡି ଓ ଭାଜପାର ନେତାମାନେ କିଭଳି ପରସ୍ପରର ପ୍ରଶଂସା କରିବେ ଏବଂ ଏହାକୁ ଭୋଟର କିପରି ଗ୍ରହଣ କରିବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଏଭଳି ଘଟିଲେ ସ୍ବାଭିମାନୀ ନେତାମାନେ ନିଶ୍ଚିତ ଭାବେ ଅସନ୍ତୋଷ ବ୍ୟକ୍ତ କରିବେ, ଯାହା ଫଳରେ ଉଭୟ ଦଳ ମଧ୍ୟରେ ଅନ୍ତର୍ବିବାଦ ଦେଖାଦେବ ା ସେହିପରି ସିଟ୍‌ ଭାଗ ବଣ୍ଟା ବେଳେ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବ ବୋଲି କଂଗ୍ରେସ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କହିଛନ୍ତି।
ଖଟି ଚାଲିଥିବା ବେଳେ ସେଠାରେ ପହଞ୍ଚତ୍ୟିବାରୁ ଦେଖା ହେଲେ ଜିଲା ଯୁବ ସଭାପତି ସୁନେଶ ଧୀର। ସେ କହିଲେ, କଂଗ୍ରେସ ସମୟରେ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗମନାଗମନ, ଜଳସେଚନ ଆଦିରେ ପ୍ରଗତି ହୋଇଥିଲା। ଏବେ ସେସବୁ କ୍ଷେତ୍ରରେ କିଛିଟା ଭିତ୍ତିଭୂମିର ବିକାଶ ହୋଇ ପାରିଥିଲେ ମଧ୍ୟ କାମରେ ଲାଗିପାରୁନାହିଁ। ଅନେକ ଶିଳ୍ପ ବନ୍ଦ ହୋଇଯାଇଛି। ସ୍ଥାନୀୟ ନିଯୁକ୍ତିରେ ତାଲା ପଡ଼ିଯାଇଛି। କେବଳ ଲୋକଙ୍କୁ ଆକୃଷ୍ଟ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟର ମାଗଣା ଯୋଜନା ବ୍ୟବସ୍ଥା ବଢ଼ିଛି ବୋଲି ଧୀର କହିଥିଲେ ା
କଂଗ୍ରେସ ନେତା ଉତ୍ତମ ସାହୁ କଥା ଭିତରେ ପଶି କହିଲେ, କଂଗ୍ରେସ ସମୟରେ ଜିଲାରେ ସେଭଳି ଅରାଜକତା, ଅପରାଧ ଓ ଅସ୍ଥିରତା ବଢ଼ି ନ ଥିଲା। ଏବେ ଜିଲାରେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ସମସ୍ୟା ଗମ୍ଭୀର ହୋଇଛି। ବେଆଇନ କାମ ବଢ଼ିବା ଯୋଗୁ କିଛି ଲୋକ, ବ୍ୟବସାୟୀ, ଖଣି ଲିଜଧାରୀ ଲାଭବାନ ହୋଇଛନ୍ତି। କିନ୍ତୁ ଅନ୍ୟମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସାହୁ କହିଥିଲେ।
ଜିଲା ରାଜନୀତିର ଇତିହାସ କହେ, ଏକଦା କେନ୍ଦୁଝର ଜିଲାର ଛଅଟି ବିଧାନସଭା ଓ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପ୍ରଭାବ ଥିଲା। ସେହିପରି ଜିଲା ପରିଷଦ ତଥା ଅନେକ ପଞ୍ଚାୟତ ସମିତି ମଧ୍ୟ କଂଗ୍ରେସ ଦଖଲରେ ରହିଥିଲା। କିନ୍ତୁ ଦୀର୍ଘ ବର୍ଷ ହେଲା କଂଗ୍ରେସର ସ୍ଥିତି ତ୍ରିସ୍ତରୀୟ ନିର୍ବାଚନଠାରୁ ଆରମ୍ଭକରି ସାଧାରଣ ନିର୍ବାଚନ ଯାଏ ଦୁର୍ବଳ ହୋଇଯାଇଛି। ଭାଜପା ଓ ବିଜେଡି ମେଣ୍ଟ ଓ ପରବର୍ତ୍ତୀ ସମୟରେ ବିଜେଡି ଦଖଲକୁ ଶାସନ ଚାଲିଯାଇଥିଲା। ତେବେ କଂଗ୍ରେସ ଆଗାମୀ ନିର୍ବାଚନରେ କିଭଳି ଫାଇଦା ଉଠାଇବ ସେଥିଲାଗି ବାଟ ଖୋଜୁଛି ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ହେଉଛିି।