Categories: ଜାତୀୟ

ଚାଉଳ ଚୋରି କରି ଗିରଫ ହେଲେ ଭାଜପା ନେତା

ବେଙ୍ଗାଲୁରୁ,୧୭।୭: ଚାଉଳ ଚୋରି ମାମଲାରେ କର୍ନାଟକ ଭାଜପା ନେତା ମଣିକାନ୍ତ ରାଠୋଡଙ୍କୁ ଗିରଫ କରାଯାଇଛି। ଏହି ବିଷୟ କର୍ନାଟକ ସରକାରଙ୍କ ଅନ୍ନ ଭାଗ୍ୟ ଯୋଜନା ସହିତ ଜଡିତ। ପୋଲିସ କାଲାବୁରାଗି ଶାହାପୁରରେ ଥିବା ତାଙ୍କ ବାସଭବନରୁ ମଣିକାନ୍ତଙ୍କୁ ଗିରଫ କରିଛି। ପଚରାଉଚରା ପାଇଁ ପୋଲିସ ପୂର୍ବରୁ ମଣିକାନ୍ତଙ୍କୁ ଡକାଇଥିଲା, କିନ୍ତୁ ସେ ପଚରାଉଚରା ପାଇଁ ପୋଲିସ ସମ୍ମୁଖରେ ହାଜର ହୋଇ ନ ଥିଲେ।
୬୦୭୭ କ୍ୱିଣ୍ଟାଲ ଚାଉଳ ଚୋରି ମାମଲାରେ ମଣିକାନ୍ତଙ୍କୁ ଗିରଫ କରାଯାଇଛି। ଚୋରି ହୋଇଥିବା ଚାଉଳର ମୂଲ୍ୟ ୨ କୋଟିରୁ ଅଧିକ ଥିଲା। ଏହି ଚାଉଳ ଯାଦଗିର ଜିଲାର ଏକ ସରକାରୀ ଗୋଦାମରୁ ଉଭାନ୍‌ ହୋଇଯାଇଥିଲା। ରାଥୋଡ ୨୦୨୩ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟାଙ୍କ ଖାର୍ଗେଙ୍କ ବିରୋଧରେ ଭାଜପା ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯଦିଓ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଅନ୍ନ ଭାଗ୍ୟ ଯୋଜନା ଅଧୀନରେ କର୍ନାଟକ ସରକାର ପ୍ରତ୍ୟେକ ଗରିବ ପରିବାରକୁ ୧୦ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ଯୋଗାଉଛନ୍ତି।

Share