Categories: ଜାତୀୟ

ଭାରତରେ ପରିବର୍ତ୍ତନ କରିବା ଲାଗି ଭାଜପାର ଥିଲା ପ୍ରତିଶ୍ରୁତି, କେବଳ ନାମ କରାଯାଇଛି ବଦଳ: ଷ୍ଟାଲିନ…

ଚେନ୍ନାଇ,୫।୯ : ଜି -୨୦ ସମ୍ମିଳନୀର ରାତ୍ରୀ ଭୋଜନ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଲେଖାଯିବା ପରେ ଏହାକୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତାଙ୍କ ପୁଅ ଉଦୟାନିଧିଙ୍କ ବିବୃତ୍ତି ନେଇ ବିବାଦର ସମ୍ମୁଖୀନ ହେବା ପରେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ସେ ଏକ ପୋଷ୍ଟରେ ଲେଖିଛନ୍ତି ଭାରତ ବଦଳାଇବାକୁ ଭାଜପା ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ କେବଳ ନାମ ବଦଳାଇ ଦେଇଛି।

ମଙ୍ଗଳବାର ଡିଏମକେ ଅଧ୍ୟକ୍ଷ ଷ୍ଟାଲିନ ଅଭିଯୋଗ କରିଛନ୍ତି ଭାଜପା ଇଣ୍ଡିଆକୁ ଭାରତରେ ପରିଣତ କରିବାକୁ ଚାହୁଁଛି। ବିରୋଧୀ ଦଳଙ୍କ ମେଣ୍ଟ ନାମ ଇଣ୍ଡିଆକୁ ନେଇ ଶାସକ ଦଳ ଘାବରେଇ ଯାଇଛନ୍ତି।

ଷ୍ଟାଲିନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଅଣ-ଭାଜପା ବାହିନୀ ଏକଛତ୍ରବାଦୀ ଭାଜପା ଶାସନକୁ ଧ୍ୱଂସ କରିବା ପାଇଁ ମିଳିତ ହେବା ପରେ ଏବଂ ସେମାନଙ୍କର ମିଳିତ ମେଣ୍ଟକୁ ଇଣ୍ଡିଆ ନାମରେ ନାମିତ କରିବା ପରେ ଏବେ ଶାସକ ଦଳ ଇଣ୍ଡିଆକୁ ଭାରତରେ ପରିବର୍ତ୍ତନ କରିବାକୁ ଚାହୁଁଛି। ଭାଜପାର ନଅ ବର୍ଷର ଶାସନ ପରେ ଆମକୁ କେବଳ ଦେଶର ବଦଳାଯାଇଥିବା ନାମ ମିଳିଛି।

ବିରୋଧୀ ଦଳ ମଧ୍ୟରେ ଏକତାର ଶକ୍ତିକୁ ସ୍ବୀକାର କରୁଥିବାରୁ ଭାଜପା ଇଣ୍ଡିଆ ଶବ୍ଦକୁ ନେଇ ଚିନ୍ତିତ ଥିବା ପରି ମନେ ହେଉଛି। ସେମାନେ ଜାଣନ୍ତି ନିର୍ବାଚନରେ ଇଣ୍ଡିଆ ଭାଜପାକୁ କ୍ଷମତାରୁ ହଟାଇବ।

 

Share