ଡ. ମନୋରଞ୍ଜନ ପ୍ରଧାନ
ସାଧୁତା, ସଚ୍ଚୋଟତା ତଥା ସଦାଚାର ମନୁଷ୍ୟର ସର୍ବଶ୍ରେଷ୍ଠ ମୂଲ୍ୟବୋଧ; ଯାହା ପାଇଁ ସେ ନିଜକୁ ଜୀବଶ୍ରେଷ୍ଠ ବୋଲି ଗର୍ବ କରେ। କିନ୍ତୁ ଆଜିର ଭୋଗବାଦୀ ଦୁନିଆରେ ଏସବୁ ମାନବୀୟ ଗୁଣର ଅଧିକାରୀ ହେବା ମଣିଷ ପାଇଁ କାଠିକର ପାଠ ଯଦିଚ ଅସମ୍ଭବ ନୁହେଁ। ଏଭଳି ମୂଲ୍ୟବୋଧକୁ ପାଥେୟ କରି ବଞ୍ଚିବା ପାଇଁ କଠୋର ତପସ୍ୟା ତଥା ସାଧନା ଦରକାର। ଅର୍ଥାତ୍ ବ୍ୟକ୍ତି ଯଦି ନିଜ ସାମର୍ଥ୍ୟ ଅନୁସାରେ ନିଷ୍ଠାର ସହ ନିରନ୍ତର କାମ କରିଚାଲେ ସେଥିରୁ ଯେଉଁ ଆନନ୍ଦ ମିଳିବ ତାହା ହେଉଛି ଜୀବନର ପ୍ରକୃତ ସୁଖ ଓ ସାର୍ଥକତା। କିନ୍ତୁ ଆଜି ମଣିଷ ନିଜ ସାମର୍ଥ୍ୟକୁ ଚିହ୍ନି ନ ପାରି ଅତି ଅସହାୟ ଓ ଦୁଃଖଦ ଜୀବନ ବିତାଉଛି। ରାତାରାତି କୋଟିପତି ହେବା ନିଶାରେ ନିଜ ବନ୍ଧୁ ପରିଜନ ଓ ଦେଶର ସମ୍ପତ୍ତିକୁ ଲୁଟ୍ କରି ଜେଲ ଚାରିକାନ୍ଥରେ ନିଜ କୃତକର୍ମର ପ୍ରାୟଶ୍ଚିତ୍ତ କରୁଛି। ଏହା କିନ୍ତୁ ମାନବିକ ଆଚରଣ ନୁହେଁ ବରଂ ପାଶବିକ ଅଭିଳାଷ। ନିଜ ନୀତି, ଆଦର୍ଶ ଓ ସ୍ବାଭିମାନ କଥା ଚିନ୍ତା ନ କରି ଅନ୍ୟକୁ ଠକି ନିଜେ ବଡ଼ଲୋକ ହେବାର ସ୍ବପ୍ନ ଦେଖିବା ପୂର୍ବରୁ ନିଜର ଦକ୍ଷତା, ପରିଶ୍ରମ ଓ ସଚ୍ଚୋଟପଣିଆ ସମ୍ବନ୍ଧରେ ଆତ୍ମସମୀକ୍ଷା କରିବା ଉଚିତ। କିନ୍ତୁ ମଣିଷ ବେଳେବେଳେ ଭାବେ ସେ ହିଁ ଚାଲାକ ଓ ଚତୁର। ତା’ର କୌଣସି କଳାକାରନାମା କେହି ଜାଣିପାରିବେ ନାହିଁ। ତେଣୁ ସେ ଗୋଟିଏ ପରେ ଗୋଟେ ଅପରାଧ କରିଚାଲେ। ସେ ଜାଣିପାରେନି କି ପୁଣ୍ୟର କଳସ ଖାଲି ହେବାପରେ ଓ ପାପର କଳସ ପୂରିଗଲେ ତା’ର ସବୁ ଅହଙ୍କାର ଭାଙ୍ଗି ଚୂରମାର ହୋଇଯିବ ଏବଂ ଦିନେ ରାଜରାସ୍ତାରେ ବସିବାକୁ ପଡ଼ିବ। ହେଲେ ସଚ୍ଚୋଟ ଓ ସାଧୁ ମଣିଷ ଜୀବନରେ ସବୁ ଭୌତିକ ସୁଖ ପାଇପାରେ ନାହିଁ କିନ୍ତୁ ନିଜ ପୁଣ୍ୟକର୍ମ ପାଇଁ ସଦା ଆତ୍ମାନନ୍ଦ ପାଇଥାଏ ଏହା ନିଃସନ୍ଦେହ। କେବଳ ସେତିକି ନୁହେଁ, ତା’ର ସୁକର୍ମ ଦିନେ ଆଶାତୀତ ଫଳ ଦେଇଥାଏ। ତେଣୁ କବି କହନ୍ତି- କର୍ମ କରିଚାଲ ସତ୍ୟର ପଥରେ, ଫଳକୁ ଆଶା ନ କରି, ସେହି କର୍ମଫଳ ଦିନେ ମିଳିଯିବ ଆଶାଠୁ ଅଧିକ ଭରି। ଏ ପରିପ୍ରେକ୍ଷୀରେ ଗୋଟିଏ କାହାଣୀ ମନେପଡୁଛି।
ଥରେ ଗୋଟିଏ କମ୍ପାନୀର ମୁଖ୍ୟ ନିଜ କମ୍ପାନୀର ସମସ୍ତ ମାଲିକାନା କୌଣସି ଭଲ କର୍ମଚାରୀଙ୍କୁ ଦେଇ ସାଂସାରିକ ଜୀବନରୁ ସନ୍ନ୍ୟାସ ନେବାକୁ ଘୋଷଣା କଲେ। ଖବରପାଇ କର୍ମଚାରୀଙ୍କ ଭିତରେ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଗଲା ନିଜ ନିଜ ଶୈଳୀରେ। ଦିନେ ମାଲିକ କର୍ମଚାରୀମାନଙ୍କୁ ଡାକି ଗୋଟିଏ ଗୋଟିଏ ମଞ୍ଜି ଦେଇ କହିଲେ, ଯିଏ ଏକ ମାସ ଭିତରେ ଏ ମଞ୍ଜିରୁ ହୃଷ୍ଟପୁଷ୍ଟ ସୁନ୍ଦର ଗଛ ପ୍ରସ୍ତୁତ କରିପାରିବ ସେ ମୋ କମ୍ପାନୀର ମାଲିକ ହେବ। କର୍ମଚାରୀମାନେ ମଞ୍ଜିରୁ ସୁନ୍ଦର ଗଛ ପ୍ରସ୍ତୁତ କରି ମାଲିକ ହେବାର ପ୍ରଚେଷ୍ଟାରେ ଲାଗିପଡ଼ିଲେ। ନିରୂପିତ ସମୟରେ ନିଜ ନିଜ ଗଛ ନେଇ କମ୍ପାନୀ ଆଗରେ ପ୍ରଦର୍ଶନ ପାଇଁ ଧାଡ଼ି ବାନ୍ଧିଲେ। କିନ୍ତୁ ଜଣେ କର୍ମଚାରୀ ସବୁ ଚେଷ୍ଟା ସତ୍ତ୍ୱେ ମଞ୍ଜିରୁ ଗଛ କରିପାରିଲେ ନାହିଁ। ତେଣୁ ସେ ପ୍ରଦର୍ଶନୀରେ ଭାଗ ନେବାକୁ ଚାହିଁଲେ ନାହିଁ। କିନ୍ତୁ କର୍ମଚାରୀଙ୍କ ଧର୍ମପତ୍ନୀ ପ୍ରତିଯୋଗିତାରେ ଭାଗନେଇ ନିଜ ବିଫଳତା ସମ୍ପର୍କରେ କହିବାକୁ ପ୍ରବର୍ତ୍ତାଇଲେ। ଅନିଚ୍ଛା ସତ୍ତ୍ୱେ କର୍ମଚାରୀ ଜଣକ ପ୍ରଦର୍ଶନୀକୁ ଗଲେ କିନ୍ତୁ ସହକର୍ମୀମାନଙ୍କ ସୁନ୍ଦର ସବୁଜ ଗଛ ଦେଖି ନିଜେ ଲଜ୍ଜିତ ହେବା ସହ ଅନ୍ୟମାନଙ୍କର ଉପହାସ ଓ କଟୁ ମନ୍ତବ୍ୟର ଶରବ୍ୟ ହେଲେ। ମାଲିକ ଆସିବା ପରେ ନିଜ ସଫଳତା ସମ୍ପର୍କରେ କର୍ମଚାରୀମାନେ କହିବା ସହ ନିଜ ଗଛ ହିଁ ସର୍ବଶ୍ରେଷ୍ଠ ପ୍ରମାଣିତ କରିବାକୁ ଚେଷ୍ଟା କରୁଥାନ୍ତି। ଶେଷରେ ଖାଲି କୁଣ୍ଡଟିକୁ ନେଇ ପହଞ୍ଚିଥିବା କର୍ମଚାରୀଙ୍କ ପାଖରେ ମାଲିକ ପହଞ୍ଚିବା ଦେଖି ପ୍ରତିଭାଗୀ ସହକର୍ମୀଗଣ ଅଟ୍ଟହାସ୍ୟ କରିବାକୁ ଲାଗିଲେ। କିନ୍ତୁ କର୍ମଚାରୀ ଜଣକ ସାହସ ଯୁଟାଇ ନିଜ ବିଫଳତାର ଗାଥା କହିଲେ। ଶେଷରେ ମାଲିକ ସେହି କର୍ମଚାରୀକୁ ନିଜର ଉତ୍ତରାଧିକାରୀ ମନୋନୟନ କଲେ। ଉପସ୍ଥିତ କର୍ମଚାରୀମାନେ ବିରୋଧ ଆରମ୍ଭ କଲେ। ନିଜ ନୀରବତା ଭଙ୍ଗ କରି ମାଲିକ କହିଲେ- ତୁମେମାନେ ସବୁ ଠକ, ଅସାଧୁ ଓ ମିଥ୍ୟାଶ୍ରୟୀ। କିନ୍ତୁ ଏହି ବ୍ୟକ୍ତି ଜଣକ ହିଁ ସାଧୁ ଓ ସଚ୍ଚୋଟ। କାରଣ ମୁଁ ଦେଇଥିବା କୌଣସି ମଞ୍ଜିରେ ବି ଗଛ ହେବାର ସାମର୍ଥ୍ୟ ନ ଥିଲା କିନ୍ତୁ ତୁମେମାନେ ମଞ୍ଜି ବଦଳେଇ ଏଭଳି ଗଛ ପ୍ରସ୍ତୁତ କରିଛ। କିନ୍ତୁ ଏ କର୍ମଚାରୀ ଜଣକ ନିଷ୍ଠାର ସହ ପ୍ରଯତ୍ନ କରି ବିଫଳ ହୋଇ ନିଜ ସତ୍ୟବାଦିତା ଓ ସାଧୁତାର ପରିଚୟ ଦେଇଛି। ତେଣୁ ତାଙ୍କୁ ଆଜିଠାରୁ ମୋ କମ୍ପାନୀର ମାଲିକ ଘୋଷଣା କରାଗଲା। କହିବାର ଅର୍ଥ ହେଉଛି ସାଧୁତା ଓ ସଚ୍ଚୋଟତାର ଫଳ ବିଳମ୍ବ ହୋଇପାରେ କିନ୍ତୁ ଚିରସ୍ଥାୟୀ ଓ ଚିରସୁଖ ଶାନ୍ତି ଦାୟୀ ହୋଇଥାଏ।
ପ୍ରଶ୍ନ ହେଉଛି ଆମ ଭବିଷ୍ୟତ ପିଢ଼ି ତଥା ଆମ ପିଲାମାନେ ସଚ୍ଚୋଟ ଓ ସଦାଚାରୀ ହେବେ କିପରି? ଏଥିପାଇଁ ପରିବାର, ମାତାପିତା ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ନିଜ ପିଲାମାନଙ୍କୁ ବାଲ୍ୟକାଳରୁ ସତ୍ୟାଗ୍ରହୀ ଓ ସଦାଚାରୀ ହେବା ପାଇଁ ପ୍ରେରଣା ଦେବା ଉଚିତ। ସେଥିପାଇଁ କେବଳ ଶିକ୍ଷାଦାନ, ଭାଷଣ ବା ଉଚ୍ଚାରଣରେ ନୁହେଁ ବରଂ ମାତାପିତା ଓ ଗୁରୁଜନମାନଙ୍କ ଆଚରଣରେ ପ୍ରତିଫଳନ ହେବା ଦରକାର; ଯାହା କି ଆଜିର ବଡ ସମସ୍ୟା। ଆଜି ଅଧିକାଂଶ ମା’ବାପା ନିଜ ପିଲାଙ୍କୁ ଭଲ ମଣିଷ ହେବାକୁ ସ୍ବପ୍ନ ଦେଖେଇବା ପରିବର୍ତ୍ତେ କୋଟି କୋଟି ଟଙ୍କା ଆୟକାରୀ ଯନ୍ତ୍ର ହେବାକୁ ବେଶି ଭଲ ପାଆନ୍ତି। ସ୍ବାମୀ ବିବେକାନନ୍ଦ ସେମାନଙ୍କ ଆଦର୍ଶ ବୋଲି କଣ୍ଠ ଫଟେଇ କହନ୍ତି, ନିଜ ପିଲାଙ୍କୁ ସ୍ବାମିଜୀ ହେବାକୁ ପ୍ରବାର୍ତ୍ତାଉ ନାହାନ୍ତି ତାହା ହିଁ ବିଡ଼ମ୍ବନା। ଅନ୍ତତଃ ପିଲାମାନେ କିପରି କର୍ତ୍ତବ୍ୟନିଷ୍ଠ, ସତ୍ୟପ୍ରିୟ, ସଚୋଟ ଓ ନିର୍ମଳ ଭାବମୂର୍ତ୍ତିର ଅଧିକାରୀ ହୋଇପାରିବେ ସେଥିପାଇଁ ପ୍ରୟାସ ହେବା ଆଜିର ଆବଶ୍ୟକତା। ଦେଶରୁ ଦୁର୍ନୀତି, ଅନୀତି, ଦୁରାଚାର ଦୂର କରିବାକୁ ହେଲେ ପରିବାରରୁ ସଂସ୍କାର ଆରମ୍ଭ ହେବା ସହ ଶିକ୍ଷାଦାନ ଓ ପାଠ୍ୟକ୍ରମ ମୂଲ୍ୟବୋଧଭିତ୍ତିକ କରିବା ଜରୁରୀ। ପାଠ୍ୟପୁସ୍ତକରେ ମନକୁ ଛୁଇଁଲା ଭଳି କାହାଣୀ, ଘଟଣା ଓ ସଫଳତାର ବ୍ୟାଖ୍ୟାନ ରହିବା ଦରକାର। ବାଘମାମୁ ଓ ବଉଳା ଗାଈ କାହାଣୀ, କାଠୁରିଆ ଓ ସୁନା କୁରାଢ଼ି, ମିଛୁଆ ଛେଳି ଜଗୁଆଳ ଭଳି ପ୍ରେରଣାଦାୟୀ କାହାଣୀ ପିଲାମାନଙ୍କୁ ପଢ଼ାଯିବା ଦରକାର। ପିଲାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ସହ ସେମାନଙ୍କୁ ବୁଝେଇଦେବା ଉଚିତ କି ଆଜି ମଧ୍ୟ ଅନେକ ଲୋକ ନିଜ ସଚ୍ଚୋଟ ଓ ସାଧୁଗୁଣ ପାଇଁ ସଫଳତାର ଶୀର୍ଷରେ ପହଞ୍ଚୁଛନ୍ତି। ତେଣୁ ପିଲାଙ୍କୁ ସେଭଳି ସଫଳ ଘଟଣାଗୁଡ଼ିକୁ କହି ସେମାନଙ୍କୁ ଭଲ ମଣିଷ ହେବା ପାଇଁ ପ୍ରେରଣା ଦିଆଯିବା ଦରକାର। ଏବେ ଜାଣିବା ଜଣେ ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକଙ୍କ ସଚ୍ଚୋଟର ପୁରସ୍କାର ସମ୍ବନ୍ଧରେ ଯାହା ଆମ ଭବିଷ୍ୟତ ପିଢ଼ିଙ୍କୁ ପ୍ରେରଣା ଦେବ।
ଅବସର ପରେ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ସିଭି ରମଣ ବାଙ୍ଗାଲୋରରେ ଏକ ଗବେଷଣାଗାର ପ୍ରତିଷ୍ଠା କରିବା ପାଇଁ ତିନିଜଣ ପଦାର୍ଥ ବିଜ୍ଞାନୀ ନିଯୁକ୍ତି ପାଇଁ ବିଜ୍ଞାପନ ଦେଲେ। ଅନ୍ତତଃ ରମଣଙ୍କୁ ସାକ୍ଷାତ କରିବା ଆଶାରେ ବହୁ ଆଶାୟୀ ଆବେଦନ କଲେ। ପ୍ରାଥମିକ ଚୟନରେ ପାଞ୍ଚଜଣ ମନୋନୀତ ହୋଇ ରମଣଙ୍କ ଦ୍ୱାରା ଅନ୍ତିମ ସାକ୍ଷାତ୍କାର ପାଇଁ ସୁଯୋଗ ପାଇଲେ ଏବଂ ତନ୍ମଧ୍ୟରୁ ତିନିଜଣ ମନୋନୀତ ହେଲେ। ନିଜ କାର୍ଯ୍ୟାଳୟରୁ ଫେରିବା ବାଟରେ ଜଣେ ଯୁବକ ଅପେକ୍ଷା କରିଥିବାର ରମଣ ଦେଖିଲେ; ଯେ କି ମନୋନୟନରେ ବିଫଳ ହୋଇଥିଲେ। ରମଣ ଅପେକ୍ଷାର କାରଣ ପଚାରିଲେ। ଯୁବକ ଜଣକ ଅତ୍ୟନ୍ତ ବିନମ୍ର ଭାବେ କହିଲେ- ମହାଶୟ, ସାକ୍ଷାତ୍କାର ପରେ ଆପଣଙ୍କ ଅଫିସ ମୋ ପ୍ରାପ୍ୟଠାରୁ ସାତ ଟଙ୍କା ଅଧିକ ଦେଇଛି। ମୁଁ ଫେରେଇବାକୁ ଚାହୁଁଛି କିନ୍ତୁ ଆକାଉଣ୍ଟ ବନ୍ଦ ହୋଇଗଲା କହି ମୋତେ ସାତ ଟଙ୍କା ଖର୍ଚ୍ଚ କରି ଆନନ୍ଦ ନେବାକୁ ଆପଣଙ୍କ କର୍ମଚାରୀ ପ୍ରବର୍ତ୍ତାଉଛନ୍ତି କିନ୍ତୁ ସେ ଟଙ୍କା ମୋର ପ୍ରାପ୍ୟ ନୁହେଁ। ଯୁବକଙ୍କ ଅଭିଯୋଗ ଶୁଣି ରମଣ କେଇ ପାଦ ଆଗକୁ ଯାଇ ଆସନ୍ତାକାଲି ସକାଳ ୧୦.୩୦ ମିନିଟ୍ରେ ତାଙ୍କ ଚାମ୍ବରରେ ଭେଟିବାକୁ ନିର୍ଦ୍ଦେଶ ଦେଲେ। ପୁନଃ ବୈଜ୍ଞାନିକ ରମଣଙ୍କୁ ଭେଟିବାର ସୁଯୋଗ ପାଇ ଯୁବକ ଜଣକ କେବଳ ଖୁସି ହେଲେନାହିଁ ନିରୂପିତ ସମୟରେ ଦେଖାକଲେ। ଯୁବକର ସଚ୍ଚୋଟତା ଓ ସମୟାନୁବର୍ତ୍ତିତାରେ ମୁଗ୍ଧ ହୋଇ ରମଣ କହିଲ- Son you failed in the Physics Test but you have passed the Honesty Test. So, I have created another post for you. ଯୁବକ ଜଣକ ଆନନ୍ଦରେ ନାଚିବାକୁ ଲାଗିଲେ ଏବଂ ପରଦିନ ଚାକିରିରେ ଯୋଗଦେଲେ। ସେ ଯୁବ ବୈଜ୍ଞାନିକ ଥିଲେ ଭାରତ ଜନ୍ମିତ ଆମେରିକା ନାଗରିକତ୍ୱ ନେଇଥିବା ପ୍ରଫେସର ସୁବ୍ରମଣ୍ୟ ଚନ୍ଦ୍ରଶେଖର; ଯେ କି ୧୯୮୩ ନୋବେଲ ପୁରସ୍କାର ପାଇଥିଲେ। ସେ ମଧ୍ୟ How Honesty made a great scientist ପୁସ୍ତକର ରଚୟିତା।
ତେଣୁ ଆମ ପିଲାମାନେ ଓ ଯୁବଗୋଷ୍ଠୀ ଏହି ଶିକ୍ଷା ପାଇବା ଉଚିତ କି ଅନ୍ୟକୁ ଆପ୍ୟାୟିତ କରି ବା କାହାର ଦୟା, କରୁଣା ଭିକ୍ଷାକରି ବଡ଼ଲୋକ ହେବାର ସ୍ବପ୍ନ ନ ଦେଖି ଗଭୀର ଆତ୍ମବିଶ୍ୱାସ ଓ ସ୍ବାଭିମାନର ସହ କଠିନ ପରିଶ୍ରମ, ନିରନ୍ତର ପ୍ରଚେଷ୍ଟା, ସାଧୁତାର ସହ ନିଜ କର୍ମକଲେ ସଫଳତା ନିଶ୍ଚୟ ମିଳିପାରିବ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ, ମୋ:୯୪୩୭୯୧୪୮୧୮