ନୂଆଦିଲ୍ଲୀ,୧୫।୪: ବଂଶଧାରା ନଦୀଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ୨୦୨୧ ଡିସେମ୍ବର ସୁଦ୍ଧା ଏହି ଟ୍ରିବ୍ୟୁନାଲ ବାବଦରେ ୩୯.୩ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ବିବାଦର ସମାଧାନ ହୋଇପାରି ନାହିଁ। ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ନଦୀଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୦ ଫେବୃୟାରୀରେ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ସରକାର ଉକ୍ତ ଟ୍ରିବ୍ୟୁନାଲକୁ ଭାଙ୍ଗି ଦେଇଛନ୍ତି। ଟ୍ରିବ୍ୟୁନାଲଙ୍କ ରାୟ ବିରୋଧରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି।