ବାରାଣସୀ ଏଡିଏମ୍‌ ନିଲମ୍ବିତ

ଲକ୍ଷ୍ନୌ,୧୦।୩ (ପି.ଟି.): ଉତ୍ତରପ୍ରଦେଶରେ ଇଭିଏମ୍‌ରେ ଜାଲିଆତି କରାଯାଇଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ ଆଣିବାର ଦିନକ ପରେ ବାରାଣସୀ ଏଡିଏମ୍‌ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଇଭିଏମ୍‌ ସ୍ଥାନାନ୍ତର ବେଳେ ନିୟମ ଉଲ୍ଲଂଘନ କାରଣରୁ ଏଡିଏମ୍‌ ନଳିନୀକାନ୍ତ ସିଂଙ୍କୁ ନିର୍ବାଚନ ଡ୍ୟୁଟିରୁ ହଟାଇ ଦିଆଯାଇଛି ବୋଲି ବାରାଣସୀ ଜିଲାପାଳ କୌଶଲରାଜ ଶର୍ମା କହିଛନ୍ତି। ଅତିରିକ୍ତ ଜିଲାପାଳ ସଞ୍ଜୟ କୁମାରଙ୍କୁ ଇଭିଏମ୍‌ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି।
ମଙ୍ଗଳବାର ଇଭିଏମ୍‌ ସ୍ଥାନାନ୍ତର ବେଳେ ପ୍ରୋଟୋକଲ୍‌ ପାଳନ ହୋଇ ନ ଥିବା ଜଣେ ଅଧିକାରୀ ସ୍ବୀକାର କରିଥିବାବେଳେ ଉକ୍ତ ଭିଡିଓ କ୍ଲିପ୍‌କୁ ଏସ୍‌ପି ଏହାର ଟୁଇଟର ହ୍ୟାଣ୍ଡେଲ୍‌ରେ ଅପ୍‌ଲୋଡ୍‌ କରିଥିଲା। ବିଭିନ୍ନ ଜିଲାରେ ଇଭିଏମ୍‌ରେ ହେରାଫେରି ହୋଇଥିବା ରିପୋର୍ଟ ଏସ୍‌ପିର ହସ୍ତଗତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାପ ପକାଯାଇଥିଲା କି ଏବଂ ନିର୍ବାଚନ କମିଶନ ଏହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦଳ ପକ୍ଷରୁ ଟୁଇଟର୍‌ରେ କୁହାଯାଇଥିଲା। ଭାଜପା ଭୋଟ ଚୋରି କରିବାକୁ ଉଦ୍ୟମ କରୁଥିବା ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି, ଟ୍ରକ୍‌ରେ ଯାଉଥିବା ଇଭିଏମ୍‌ଗୁଡ଼ିକରେ ‘ତାଲିମ ପାଇଁ’ ବୋଲି ଉଲ୍ଲେଖ ଥିଲା। ତାହା ନିର୍ବାଚନରେ ବ୍ୟବହାର ହୋଇ ନ ଥିଲା ବୋଲି ଇସି କହିଛନ୍ତି। ଇଭିଏମ୍‌ଗୁଡ଼ିକ ଭୋଟିଂରେ ବ୍ୟବହୃତ ହୋଇଥିଲା ବୋଲି କେତେକ ରାଜନୈତିକ ଦଳ ପକ୍ଷରୁ ଗୁଜବ ପ୍ରଚାର କରାଯିବାରୁ ବାରାଣସୀର ଜିଲା ନିର୍ବାଚନ ଅଧିକାରୀ ସେଗୁଡ଼ିକର ଯାଞ୍ଚ କରିଥିଲେ। ତଦନ୍ତ ବେଳେ ଇଭିଏମ୍‌ରେ ତାଲିମ୍‌ ପାଇଁ ଲେଖାଥିବା ଜଣାପଡ଼ିଛି। ଏଥିସହିତ ନିର୍ବାଚନ ନିୟମର ଉଲ୍ଲଂଘନ କରିଥିବା ବାରାଣସୀ ଏଡିଏମ୍‌ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ବାଚନ କମିଶନ ବୁଧବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share