ବାରାଣସୀ,୨୮।୨: କାଶୀ ବିଶ୍ୱନାଥ ମନ୍ଦିର ଇତିହାସରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡା ଯାଇଛି। ୧୮୭ ବର୍ଷର ଦୀର୍ଘ ଅପେକ୍ଷା ପରେ ମନ୍ଦିରରେ ସୁନା ଲଗାଯାଇଥିଲା। ମନ୍ଦିରର ଗର୍ଭଗୃହ ଭିତରେ ଥିବା କାନ୍ଥଗୁଡ଼ିକ ୩୦ ଘଣ୍ଟା ମଧ୍ୟରେ ସୁନାରେ ଆବୃତ ହୋଇଛି। ସୁନା ଲାଗିବା ପରେ ଗର୍ଭଗୃହ ଭିତରେ ହଳଦିଆ ଆଲୋକ ସମସ୍ତଙ୍କୁ ବିମୋହିତ କରୁଛି। ମନ୍ଦିର ପ୍ରଶାସନ ଅନୁଯାୟୀ ୩୭ କିଲୋଗ୍ରାମ ସୁନା ଲଗାଯାଇଛି। ଅବଶିଷ୍ଟ କାର୍ଯ୍ୟଗୁଡ଼ିକରେ ୨୩ କିଲୋଗ୍ରାମ ଅଧିକ ସୁନା ବ୍ୟବହାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବାରାଣସୀ ଏମ୍ପି ନରେନ୍ଦ୍ର ମୋଦି ‘ବୁଥ୍ ବିଜୟ ସମ୍ମିଳନୀ’ରେ ସାମିଲ ହେବା ପରେ ସିଧା କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ମନ୍ଦିର ଗର୍ଭଗୃହ ଦେଖି ସେ ପ୍ରଶଂସା କରିଥିଲେ।
ସେ କହିଛନ୍ତି, ଏହା ଏକ ଚମତ୍କାର ଏବଂ ଅକଳ୍ପନୀୟ କାର୍ଯ୍ୟ କରାଯାଇଛି। ସ୍ବର୍ଣ୍ଣମଣ୍ଡିତ ହେବା ପରେ ବିଶ୍ୱନାଥଙ୍କ ଦରବାର ଏକ ଭିନ୍ନ ଦେଖାଯାଉଛି।
୧୮୩୫ ମସିହାରେ, ପଞ୍ଜାବର ତତ୍କାଳୀନ ମହାରାଜା ରଣଜିତ ସିଂ ବିଶ୍ୱନାଥ ମନ୍ଦିରର ଦୁଇ ଶିଖରକୁ ସ୍ବର୍ଣ୍ଣମଣ୍ଡିତ କରିଥିଲେ। କୁହାଯାଇଥିଲା ଯେ ସାଢେ ୨୨ ମହଣ ସୁନା ଲାଗିଥିଲା। ମନ୍ଦିର ପ୍ରଶାସନ ଅନୁଯାୟୀ, ଗର୍ଭଗୃହ ଭିତରେ ସୁନା ସ୍ଥାପନ କାର୍ଯ୍ୟ ଶେଷ ହେବା ପରେ ଏବେ ଚାରୋଟି କବାଟରୁ ରୂପା ହଟାଯିବ ଏବଂ ଏଥିରେ ଏକ ସୁନା ସ୍ତର ଲଗାଯିବ। ଏହା ପରେ ମନ୍ଦିରର ଉପର ଭାଗରେ ସୁନା ପ୍ଲେଟ ଲଗାଯିବ।