Categories: ଜାତୀୟ

ବାରାଣସୀ ବିସ୍ଫୋରଣ ଘଟଣାର ୧୬ବର୍ଷ ପରେ ଆସିଲା ରାୟ: ବଲିଉଲ୍ଲାହଙ୍କୁ ଫାଶୀ

ବାରାଣସୀ,୬।୬: ୨୦୦୬ରେ ଉତ୍ତରପ୍ରଦେଶ ବାରାଣସୀରେ ସିରିଏଲ୍‌ ବ୍ଲାଷ୍ଟ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୬ବର୍ଷ ପରେ ଗାଜିଆବାଦ ଜିଲା ସ୍ବତନ୍ତ୍ର କୋର୍ଟ ଏହି ମାମଲାର ବିଚାର କରି ଦୋଷୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବାରାଣସୀ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ବଲିଉଲ୍ଲାହଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ୨୦୦୬ ମାର୍ଚ୍ଚ ୭ରେ ବାରାଣସୀର ସଙ୍କଟମୋଚନ ମନ୍ଦିର ଓ କ୍ୟାଣ୍ଟ ରେଳ ଷ୍ଟେସନରେ ଏକ ସିରିଏଲ୍‌ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୨୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ। ବାରାଣସୀ ବିସ୍ଫୋରଣ ପରେ ବଲିଉଲ୍ଲାହଙ୍କୁ ପକ୍ଷରୁ କୌଣସି ଓକିଲ ଏହି ମାମଲା ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହୋଇ ନ ଥିଲେ। ଏହାପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ଗାଜିଆବାଦ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ତେବେ ବିଚାରପତି ଜିତେନ୍ଦ୍ର କୁମାର ସିହ୍ନାଙ୍କ ଖଣ୍ଡପୀଠ ଜୁନ ୪ରେ ଏହି ମାମଲାର ଶୁଣାଣି କରି ବଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ନିଜ ରାୟ ସଂରକ୍ଷିତ ରଖିଥିଲେ। ହେଲେ ସୋମବାର କୋର୍ଟ ଏହାର ଶୁଣାଣି କରି ବଲିଉଲ୍ଲାହଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ଜଜଙ୍କ କୋର୍ଟରେ ଗଣମାଧ୍ୟମକୁ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା। ଏଥିସହ କୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Share