ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା ପଡ଼େ ତେବେ ଜଳବାୟୁରେ ବି ଦେଶଭକ୍ତି ପରିଲକ୍ଷିତ ହେବା ସହ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇଯାଏ। ସାରା ବିଶ୍ୱରେ ରେଶମ ସୂତାରେ ନିର୍ମିତ ବନାରସୀ ଶାଢ଼ି ପାଇଁ ପ୍ରସିଦ୍ଧ ସହର ବନାରସରେ ଚଳିତ ଥର ୭୪ତମ ସ୍ବାଧୀନତା ଦିବସ ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ବନାରସର ଦୋକାନଗୁଡ଼ିକରେ ଚଳିତ ବର୍ଷ ଏକ ନିଆରା ରେଶମୀ ତ୍ରିରଙ୍ଗାର ୨ଟି ଡିଜାଇନ୍ର ଶାଢ଼ି ବିକ୍ରି ହେଉଛି। ଗୋଟିଏରେ କେବଳ ଭାରତର ନକ୍ସା ଡିଜାଇନ୍ କରାଯାଇନାହିଁ ବରଂ ଜୟ ହିନ୍ଦ୍-ଜୟ ଭାରତ ମଧ୍ୟ ଲେଖାହୋଇଛି।
ଅନ୍ୟଟିରେ ବୟକଟ୍ ଚାଇନାର ବାର୍ତ୍ତା ଦିଆଯାଇଥିବା ଦେଖିବାକୁ ମିଳିଛି। ଏବେ ଏହି ୨ଟି ଶାଢ଼ିର ବେଶ୍ ଚାହିଦା ରହିଥିବା ବେଳେ ମହିଳାମାନେ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି। ଏଭଳି ଶାଢ଼ି ତିଆରି କରିବା ପଛର ଉଦ୍ଦେଶ୍ୟ ହେଉଛି ଦେଶ ପ୍ରତି ଭକ୍ତି ଓ ପ୍ରେମ ପ୍ରଦର୍ଶନ କରିବା। ତେବେ ବୟକଟ୍ ଚାଇନା ଜରିଆରେ ସ୍ବଦେଶୀ ସାମଗ୍ରୀକୁ ଗ୍ରହଣ କରିବାର ଏକ ବାର୍ତ୍ତା ଦିଆଯାଇଛି ବୋଲି ଦୋକାନୀ ସର୍ବେଶ ପ୍ରତିକ୍ରିୟା ରଖିଛନ୍ତି। ଏହି ଶାଢ଼ୀର ଦାମ୍ ୧୦ହଜାର ଟଙ୍କା ରଖାଯାଇଛି। ଏହି ଶାଢ଼ିରୁ ଆୟ ହୋଇଥିବା କିଛି ଅଂଶ କରୋନା ଯୋଦ୍ଧାଙ୍କ ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରାଯିବ ବୋଲି ସର୍ବେଶ କହିଛନ୍ତି।