କେସିଙ୍ଗା ରେଳଷ୍ଟେଶନର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ଦାବିପତ୍ର ପ୍ରଦାନ

କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳଷ୍ଟେଶନ ସମସ୍ୟାକୁ ନେଇ ରେଲଓ୍ବେ ବିଭାଗ ଦ୍ୱାରା ମନୋନୀତ ରେଲଓ୍ବେ କନ୍‌ସଲ୍‌ଟିଭ୍‌ କମିଟିର ମନୋନୀତ ସମସ୍ତ ସଦସ୍ୟ ଡିସିଏମ୍‌ ସମ୍ବଲପୁରଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବିକୁ ନେଇ ଷ୍ଟେଶନ ମାଷ୍ଟର ବିଷ୍ଣୁ ବାରିକଙ୍କ ଜରିଆରେ ଏକ ଦାବିପତ୍ର ବୁଧବାର ପ୍ରଦାନ କରିଛନ୍ତି। ରେଳବାଇ ଷ୍ଟେଶନର ବିଭିନ୍ନ ସମସ୍ୟା ପ୍ରଦାନ ସମୟରେ ଉକ୍ତ କମିଟିର ସଦସ୍ୟ ପୂର୍ବତନ ନଗର ପାଳ ରାମ କୁମାର ଜୈନ, ମହାବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ଅଧ୍ୟାପକ ଚନ୍ଦ୍ର ଶେଖର ଅଚାରୀ, ସୁରେଶ ରାଓ, ରାଜେଶ କୁମାର ବଂଶଲ, ସଞ୍ଜୟ କୁମାର ଜୈନ ୮ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଷ୍ଟେଶନ ମ୍ୟାନେଜର ବିଷ୍ଣୁ ବାରିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରଥମ ବୈଠକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ମଧ୍ୟ କରିଥିଲେ।
ଏଥିରେ କେସିଙ୍ଗା ରେଳବାଇ ଷ୍ଟେଶନ କଳାହାଣ୍ଡିର ମୁଖ୍ୟଦାର ହେବା ସଙ୍ଗେ ସଙ୍ଗେ ଦୂରଗାମୀ ରେଳବାଇ ଯାତାୟାତ ପାଇଁ ଅବିଭକ୍ତ କୋରାପୁଟ ଜିଲାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଅଞ୍ଚଳର ବହୁ ଯାତ୍ରୀ ଏହି ରେଳଷ୍ଟେଶନ ଉପରେ ନିର୍ଭର କରିଥାନ୍ତି। ତା’ ସାଙ୍ଗକୁ ପଡ଼ୋଶୀ ଜିଲା କନ୍ଧମାଳ ଅଞ୍ଚଳର ଲୋକେ ମଧ୍ୟ ଏଥିରୁ ସୁବିଧା ପାଇଥାନ୍ତି।

ମୁଖ୍ୟ ସମସ୍ୟା ଗୁଡ଼ିକକର ଶୀଘ୍ର ସମାଧାନ ପାଇଁ ସମ୍ବଲପୁର ଡିଭିଜନ କମର୍ସିଆଲ ମ୍ୟାନେଜରଙ୍କ ମାଧ୍ୟମ ରେ ସମାଧାନ ପାଇଁ ଲିଖିତ ଉପସ୍ଥାପନ କରାଯାଇଛି। ସେଥି ମଧ୍ୟରୁ କେସିଙ୍ଗା ରୁ ରାଜଧାନୀ ଭୁବନେଶ୍ୱରକୁ ଶୀଘ୍ର ଏକ ଟ୍ରେନ୍‌ ଚଳାଚଳ କରିବା ସହ ଷ୍ଟେଶନରେ ଦିବ୍ୟାଙ୍ଗ, ବୟସ୍କ, ଓ ଭାରୀ ଆସବାବଥିବା ଯାତ୍ରୀଙ୍କ ପାଇଁ ଆସ୍କାଲେଟର ବ୍ୟବସ୍ଥା, ଯାତ୍ରୀଙ୍କ ସୁବିଧା ପାଇଁ ଚାରି ନମ୍ବର ପ୍ଲାଟଫର୍ମରେ ଚା’ ଓ ଜଳପାନ ଦୋକାନ ପ୍ରତିଷ୍ଠା କରା ଯାଉ ଏବଂ
ସମସ୍ତ ଡାଉନ ଟ୍ରେନକୁ ୪ ନମ୍ବର ପ୍ଲାଟଫର୍ମରେ ରହିବାକୁ ସ୍ଥାୟୀ ସମାଧାନ କରାଯିବା ସହ ଇସ୍ପାତ ଓ ଦୁର୍ଗ ପୁରୀ ଏକ୍ସପ୍ରେସକୁ କେସିଙ୍ଗା ଯାଏ ସମ୍ପ୍ରସାରଣ, ସମସ୍ତ ପ୍ଲାଟଫର୍ମରେ ଫିଲ୍ଟର ଯୁକ୍ତ ଥଣ୍ଡା ପିଇବା ପାନୀୟଜଳର ବ୍ୟବସ୍ଥା ଏବଂ ଟ୍ରେନ୍‌ ରହଣିର ସମୟ ଦୁଇ ମିନିଟ୍‌କୁ ୫ ମିନିଟ୍‌ ସମୟସୀମାକୁ ବର୍ଦ୍ଧିତ କରାଯିବା ଏବଂ ପାର୍ସଲ ବ୍ୟବସ୍ଥାକୁ ପୁଣି ଥରେ ଚାଲୁ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯିବା ପାଇଁ ଉକ୍ତ କମିଟି ସଦସ୍ୟମାନେ ଦାବି କରିଛନ୍ତି।