ବର୍ଷା-ଅନୁଭବ ବିବାଦର ସମାଧାନ ପାଇଁ ଆଲୋଚନା

କଟକ ଅଫିସ,୧୧ା୧୨: ବିଜେଡି ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବୈବାହିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଗୁରୁବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେଙ୍କ କହିବା ଅନୁଯାୟୀ, ଆଇନଜୀବୀ ପୂଜା ଆନନ୍ଦ ଆଲୋଚନା ବେଳେ ମଧ୍ୟସ୍ଥତା କରିଥିଲେ। ସେ ୧୨ ବର୍ଷ ହେବ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମଧ୍ୟସ୍ଥତା କରିଆସୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ୧୮ ତାରିଖରେ ହେବ।
ଆପୋସ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ଲାଗି ସମ୍ଭାବ୍ୟ ପନ୍ଥା ବାହାର କରିବାକୁ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ଉଭୟ ବର୍ଷା ଓ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲା ଅନ୍ୟ କୋର୍ଟକୁ ସ୍ଥାନାନ୍ତର ଲାଗି ବର୍ଷାଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍‌ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ଉଭୟଙ୍କୁ ସୁପ୍ରିମକୋର୍ଟ ମଧ୍ୟସ୍ଥ କେନ୍ଦ୍ରରେ ହାଜର ହେବାକୁ କହିଥିଲେ। ଜୁଲାଇ ୭ରେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଛାଡ଼ପତ୍ର ପିଟିଶନ ଦାଏର କରିଥିବାବେଳେ ଏହାକୁ କଟକର ଫାମିଲି କୋର୍ଟକୁ ସ୍ଥାନାନ୍ତର ପାଇଁ ବର୍ଷା ଆବେଦନ କରିଥିଲେ।

Share