ଅନୁଭବ-ବର୍ଷା ବିବାଦ: ଆଜି ଶୁଣାଣି

କଟକ ଅଫିସ,୭।୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅନୁଭବଙ୍କ ବିରୋଧରେ ଅଭିଯୋଗ ଉଠାଇ ବର୍ଷା କଟକସଦର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅନୁଭବ ମଧ୍ୟ ଛାଡପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ପ୍ରସଙ୍ଗ ଜଟିଳ ପରିସ୍ଥିତି ଭିତରକୁ ଠେଲି ହେବାରେ ଲାଗିଲାଣି। ଅନ୍ୟପକ୍ଷରେ ବର୍ଷାଙ୍କ ଆବେଦନକୁ ନେଇ କଟକସଦର ଏସ୍‌ଡିଜେଏମ୍‌ କୋର୍ଟରେ ସୋମବାର ପ୍ରଥମ ଶୁଣାଣି ହେବ।
ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିଶନ ଦାଖଲ କରିଛନ୍ତି। ପିଟିଶନ ୪୭ ପୃଷ୍ଠାର ରହିଛି। ଏଥିରେ ସେ ବର୍ଷାଙ୍କ ନଁାରେ ଗୁରୁତର ଅଭିଯୋଗ ଉଠାଇଛନ୍ତି। ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବର୍ଷା ରାଜି ହେଉ ନ ଥିବା ଅନୁଭବ ଏଥିରେ ଉଲ୍ଲେଖ କରିଛନ୍ତି। ଯାହା ତାଙ୍କୁ ଅସହଜ, ଅସୁଖୀ କରୁଥିଲା। ବର୍ଷା ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରକୁ ଚାଲି ଯାଉଥିଲେ। ଶାଶୁଘର ଖାଦ୍ୟ ତୁଳନାରେ ବାପଘର ଖାଦ୍ୟକୁ ଅଧିକ ପସନ୍ଦ କରୁଥିଲେ। ଏପରି କି ସେ ଶାଶୁଘର ଲୋକଙ୍କ ସହ ମିଶୁ ନ ଥିଲେ ଓ ବାରମ୍ବାର ବାପଘର ଯିବାକୁ ବାହାନା କରୁଥିଲେ ବୋଲି ଅନୁଭବ ପିଟିଶନରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଜଣେ ସହ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ମିଥ୍ୟା ଆରୋପ କରି ତାଙ୍କ ସହ କଳି କରୁଥିଲେ ଓ ବିଭିନ୍ନ କେସ୍‌ରେ ଫସାଇବାକୁ ଧମକ ଦେଉଥିଲେ ବୋଲି ମଧ୍ୟ ଅନୁଭବ ଦର୍ଶାଇଛନ୍ତି। ଭଲ ସ୍ତ୍ରୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି। ବର୍ଷାଙ୍କ ସହ ରହିବାକୁ ଅନୁଭବ ଅନିଚ୍ଛା ପ୍ରକାଶ କରିଥିବା ପିଟିଶନରେ ଉଲ୍ଲେଖ କରାଯାଇଛି। ୨୦୧୯ ମେ’ ପହିଲାରୁ ଉଭୟ ଅଲଗା ରହୁଛନ୍ତି। ଏଣୁ ଏହି ବିବାହକୁ ରଦ୍ଦ କରିବା ସହ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରିବାକୁ ସେ ନିବେଦନ କରିଛନ୍ତି।