ଭୁବନେଶ୍ୱର,୨୧।୬(ବ୍ୟୁରୋ):ପାରିବାରିକ ବିବାଦ ମାମଲାରେ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତାଙ୍କ ସ୍ବାମୀ ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତିଙ୍କ ବିରୋଧରେ ସେ ସୋମବାର ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ବର୍ଷାଙ୍କୁ ଟାର୍ଗେଟ କରି ଅନୁଭବ ‘ଅକୁହା ସତ’ ନାମରେ ୩ଟି ଭିଡିଓ ୟୁଟ୍ୟୁବ୍ରେ ଅପ୍ଲୋଡ କରିଥିଲେ। ଏଥିରେ ବର୍ଷାଙ୍କ ମାନହାନି ହୋଇଥିବା ସେ ଅଭିଯୋଗ କରିଥିଲେ। ଏ ସମ୍ପର୍କିତ ଅଭିଯୋଗର ଶୁଣାଣି କରି ହାଇକୋର୍ଟ ଗତ ମେ ୨୭ରେ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ସାମାଜିକ ଗଣମାଧ୍ୟମରେ ବର୍ଷା ଓ ଅନୁଭବ ବ୍ୟକ୍ତିଗତ ଜୀବନ ଓ ଚରିତ୍ରକୁ ନେଇ ପରସ୍ପର ବିରୋଧୀ ମନ୍ତବ୍ୟ ଦେବେନାହିଁ ଏବଂ ସର୍ବସାଧାରଣରେ ଆକ୍ଷେପ କରିପାରିବେ ନାହିଁ। ହେଲେ ଏହି ନିର୍ଦ୍ଦେଶକୁ ଅନୁଭବ ମାନୁ ନାହାନ୍ତି। ପୂର୍ବଭଳି ତାଙ୍କୁ ଟାର୍ଗେଟ କରୁଛନ୍ତି। ବର୍ଷାଙ୍କ ସମ୍ପର୍କରେ ଟିପ୍ପଣୀ ଥିବା ଭିଡିଓ ଅନୁଭବ ଅପ୍ଲୋଡ କରୁଛନ୍ତି। ତେଣୁ ଅଦାଲତ ଅବମାନନା କରିବା ଅଭିଯୋଗରେ ତାଙ୍କୁ ଦଣ୍ଡିତ କରାଯାଉ ବୋଲି ବର୍ଷା ଅଭିଯୋଗରେ ନିବେଦନ କରିଛନ୍ତି।