ଦୁଃଖ କଷ୍ଟରେ ମୋ ଦିନ କଟୁଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ୍‌,୧୮।୩: କିଛିଦିନର ନୀରବତା ପରେ ପୁଣି ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏମ୍‌ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା କହିଛନ୍ତି ପାଣି, ବିଦ୍ୟୁତ ପରି ମୌଳିକ ସୁବିଧାରୁ ତାଙ୍କୁ ବଞ୍ଚିତ କରାଯାଉଛି। ବେଡ୍‌ ରୁମ୍‌ର ଏସି, ଇନ୍‌ଭର୍ଟର ଜାଣିଶୁଣି ଠିକ୍‌ କରୁନାହାନ୍ତି। ରୋଷେଇ ଘର ଆକ୍ୱାଗାର୍ଡକୁ ବନ୍ଦ କରିଦେଉଛନ୍ତି। ରୁମ୍‌ରୁ ଟିଭି କାଢି ନେଇଛନ୍ତି। ୬ ମାସ ହେଲା ମୋ ଘର ଲୋକେ ଖାଇବା ପଠାଉଛନ୍ତି, ଦୁଃଖ କଷ୍ଟରେ ମୋ ଦିନ କଟୁଛି। ମୋ ଦୁଃଖ ଅବର୍ଣ୍ଣନୀୟ ବୋଲି ସେ କହିଛନ୍ତି। ଏହାପୂର୍ବରୁ ୪ଥର ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା।
ସୂଚନାଯୋଗ୍ୟ, ଅନୁଭବଙ୍କ ବିରୋଧରେ ବର୍ଷା ଅଭିଯୋଗ ଆଣି କଟକ ଏସଡିଜେଏମ କୋର୍ଟରେ ଆଶ୍ରୟ ନେଇଥିଲେ। ସେପଟେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ବର୍ଷା ସୁପ୍ରିମକୋର୍ଟ ଯାଇଥିଲେ। ଅନୁଭବ କରିଥିବା ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ ବର୍ଷା। ଯାହାର ଶୁଣାଣି କରିି ସୁପ୍ରିମକୋର୍ଟ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପଟିଆଲା ହାଉସ କୋର୍ଟ ନୁହେଁ, କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାମଲା ସ୍ଥାନାନ୍ତର ନେଇ ବର୍ଷାଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Share