ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଶେଷ

କଟକ,୧ା୮ (କାର୍ତ୍ତିକ ସାହୁ):କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି କଟକ ପରିବାର ଅଦାଲତରେ ସୋମବାର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ପୂର୍ଣ୍ଣାଙ୍ଗ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଅନୁଭବଙ୍କ ଓକିଲ ପ୍ରାୟ ୨ ଘଣ୍ଟା ଧରି ବର୍ଷାଙ୍କୁ ଜେରା କରି ୧୮୦ରୁ ୧୮୫ଟି ପ୍ରଶ୍ନ ପଚାରିଥିବା ଜଣାପଡିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉଭୟ ପକ୍ଷ ପରିବାର ଅଦାଲତରେ ନିଜର ଯୁକ୍ତି ଉପସ୍ଥାପନ କରିବେ। ଏଥିସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅକ୍ଟୋବର ୧୩ ସୁଦ୍ଧା ମାମଲାର ରାୟ ପ୍ରକାଶ ପାଇବ।
ମାମଲାର ବିବରଣୀ ଅନୁସାରେ, କଟକ ପରିବାର ଅଦାଲତରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ବିଳମ୍ବ ହେଉଥିବା ଦର୍ଶାଇ ମାମଲାକୁ ଖୋର୍ଦ୍ଧା ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। କଟକ ପରିବାର ଅଦାଲତ ବର୍ଷାଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଓ ଜାଣିଶୁଣି ବର୍ଷାଙ୍କ ସାକ୍ଷ୍ୟଗ୍ରହଣରେ ମହଲତ ଦେଉଥିବା ଅନୁଭବ ଦର୍ଶାଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କ ଖଣ୍ଡପୀଠ ଗତ ଜୁଲାଇ ୧୩ ତାରିଖରେ ମାମଲାର ଶୁଣାଣି କରି ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଶେଷ କରିବା ସହ ଆଗାମୀ ୩ ମାସ ମଧ୍ୟରେ ମାମଲାର ରାୟ ପ୍ରକାଶ କରିବାକୁ କଟକ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଖୋର୍ଦ୍ଧା ପରିବାର ଅଦାଲତକୁ ମାମଲା ସ୍ଥାନାନ୍ତର ପାଇଁ ଅନୁଭବଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ।
ଉଲ୍ଲେଖଯୋଗ୍ୟ, ଅନୁଭବ ତାଙ୍କ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ ଦିଲ୍ଲୀର ପଟିଆଲା କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ପୁଣି ବର୍ଷାଙ୍କ ଆବେଦନ ଅନୁସାରେ ପଟିଆଲା କୋର୍ଟରୁ କଟକର ପରିବାର ଅଦାଲତକୁ ମାମଲା ସ୍ଥାନାନ୍ତର ହୋଇଥିଲା। କଟକ ପରିବାର ଅଦାଲତରେ ଏହି ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇଥିବା ବେଳେ ବର୍ଷାଙ୍କୁ ସାକ୍ଷ୍ୟ ଗ୍ରହଣ ସମ୍ପୂର୍ଣ୍ଣ ହୋଇଛି।