ପଦ୍ମପୁର,୧୭ା୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନ ନାମାଙ୍କନର ଆଜି ଶେଷ ଦିବସ। ଆଜି ନିଜର ନାମାଙ୍କନ ଦାଖଲ ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ନିକଟରେ ଅବସ୍ଥିତ ପୁରାତନ ଦେବପୀଠ ବୁଢ଼ାରଜାଙ୍କର ମନ୍ଦିରକୁ ଯାଇ ବୁଢ଼ାରଜାଙ୍କୁ ଦର୍ଶନ କରିବା ସହିତ ପୂଜା କରିଥିଲେ ଏବଂ ଆଶିଷ ଲୋଡ଼ିଥିଲେ।
ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ଅର୍ଥାତ୍ ବର୍ଷାଙ୍କର ବାପା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ବୁଢାରଜାଙ୍କର ପ୍ରତି ଗଭୀର ବିଶ୍ୱାସ ରଖିଥିଲେ। ସେ ଯେତେବେଳେ ଏହି ଅଞ୍ଚଳକୁ ଆସନ୍ତି ପ୍ରଥମେ ବୁଢାରଜାଙ୍କର ଦରବାରରେ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଥିଲେ। ନିର୍ବାଚନରେ ନାମାଙ୍କନ ଭରିବା ପୂର୍ବରୁ ବିଜୟ ମଧ୍ୟ ପ୍ରଥମେ ବୁଢାରଜାଙ୍କର ଆଶୀର୍ବାଦ ନେଇ ନିଜର ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଉଥିଲେ। ଆଜି ବର୍ଷା ମଧ୍ୟ ନିଜର ବାପାଙ୍କ ରାସ୍ତାରେ ପାଦ ବଢ଼ାଇ ଚାଲିଛନ୍ତି। ବର୍ଷାଙ୍କର ସହିତ ଆଜି ତାଙ୍କ ଭାଇ ଭୋଜରାଜ ସିଂ ବରିହା ମଧ୍ୟ ଉପସ୍ଥିତ ରହି ବୁଢାରଜାଙ୍କର ଆଶୀର୍ବାଦ ପ୍ରାର୍ଥନା କରିଥିଲେ। ଏହି ଅବସରରେ ମାଣ୍ଡୋସିଲ ଅଞ୍ଚଳର ଅନେକ ସମର୍ଥକ ଉପସ୍ଥିତ ଥିଲେ।