Categories: ଖେଳ

ପୁଣି ଫିଟ୍‌ନେସ ଟେଷ୍ଟରେ ଫେଲ୍‌ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୧୦।୩ : ପୁଣି ଥରେ ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି ମିଷ୍ଟ୍ରି ସ୍ପିନର ବୁରଣ ଚକ୍ରବର୍ତ୍ତୀ। ଏଥିଯୋଗୁ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରୁ ସେ ବାଦ୍‌ ପଡ଼ିବା ନିଶ୍ଚିତ। ଅନ୍ୟ ପଟେ ନୂଆ ପେସ ସେନସେଶନ ଟି. ନଟରାଜନ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି। ତେବେ କାନ୍ଧ ଜନିତ ସମସ୍ୟା ଦେଇ ସେ ଗତି କରୁଥିବା ସୂତ୍ରରୁ ଜଣାପଡ଼ିଛି।

ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏ ଠାରେ ଆୟୋଜିତ ଫିଟ୍‌ନେସ ଟେଷ୍ଟରେ ସ୍ପିନର ଚକ୍ରବର୍ତ୍ତୀ ଦ୍ୱିତୀୟ ଥର ପାଇଁ ବିଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରୁ ଆହତ ସମସ୍ୟା ଯୋଗୁ ବାଦ୍‌ ପଡ଼ିଥିବା ବରୁଣ ନିର୍ଦ୍ଧାରିତ ସମୟରେ ୨ କି.ମି. ଦୌଡ଼ ପୂରଣ କରିପାରି ନ ଥିଲେ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି। ବରୁଣ ବାରମ୍ବାର ଫିଟ୍‌ନେସ ଟେଷ୍ଟରେ ଫେଲ ହେବାରୁ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟିର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠୁଛି। ଅକ୍ଟୋବର ପରେ ଗୋଟିଏ ହେଲେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ ଖେଳି ନ ଥିବା ଖେଳାଳିଙ୍କୁ କେଉଁ ଆଧାରରେ ଦଳରେ ଚୟନ କରାଯାଉଛି?

ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ବାୟୋ ବବଲରେ ଥିବା ଲେଗ୍‌ ସ୍ପିନର ରାହୁଲ ଚହରଙ୍କୁ ଦଳରେ ସ୍ଥାନ ଦିଆଯାଇପାରେ। ଅଲରାଉଣ୍ଡର ରାହୁଲ ତଓ୍ବେତିଆ ଅହମ୍ମଦାବାଦରେ ଭାରତୀୟ ଦଳ ସହ ଟ୍ରେନିଂ କରୁଛନ୍ତି। ଏବେ ତାଙ୍କର ଦ୍ୱିତୀୟ ଫିଟ୍‌ନେସ ଟେଷ୍ଟର ଫଳାଫଳକୁ ଅପେକ୍ଷା କରାଯାଇଛି।

Share