ଲଣ୍ଡନର ନାଇଟ୍‌ କ୍ଲବରେ ମଦ ବିକୁଥିଲେ ଏହି ଅଭିନେତା; ପିଲାଦିନର ବନ୍ଧୁଙ୍କ ଧରିଛନ୍ତି ହାତ; କିଛି ଏମିତି…

ବମ୍ବେ: ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରୁ ଡେବ୍ୟୁ କରିଥିଲେ ଅଭିନେତା ବରୁଣ ଧଓ୍ବନ। ଚଳଚ୍ଚିତ୍ର ସୁପରହିଟ୍‌ ହେବା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ପ୍ରଶଂସକଙ୍କ ମଧ୍ୟରେ ଚକୋଲେଟ୍‌ ବୟ ଭାବେ ପରିଚିତ ବରୁଣଙ୍କ ଆଜି ହାପି ବର୍ଥ ଡେ। ଏପ୍ରିଲ ୨୪ ଅର୍ଥାତ ଆଜି ସେ ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ବନଙ୍କ ପୁଅ ହେଉଛନ୍ତି ବରୁଣ। ସେ ନଟିଂହାମ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ସେ ପାର୍ଟଟାଇମ୍‌ ଚାକିରି କରୁଥିଲେ। ଲଣ୍ଡନରେ ଥିବା ଏକ ନାଇଟ୍‌କ୍ଲବରେ ମଦ ବିକ୍ରି କରୁଥିଲେ। ଏପରିକି କଲେଜରେ ପାମ୍ପଲେଟ୍‌ ବାଣ୍ଟୁଥିବା ସେ ଏକଦା କହିଥିଲେ।

ବରୁଣଙ୍କୁ ପରିବାରଲୋକେ ପପ୍ପୁ ବୋଲି ଡାକିଥାନ୍ତି। ତାଙ୍କର ଜଣେ ଭାଇ ରୋହିତ ଧଓ୍ବନ ଅଛନ୍ତି। ସେ ‘ଦେଶୀ ବଏଜ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ବରୁଣ ନିଜ ପିଲାଦିନ ବନ୍ଧୁଙ୍କୁ ବିବାହ କରିଛନ୍ତି। ୨୦୨୧ ଜାନୁୟାରୀରେ ନତାଶା ଦଲାଲଙ୍କ ହାତ ଧରିଛନ୍ତି ସେ। ଉଭୟ ପରସ୍ପରର ବନ୍ଧୁ ପାଲଟିବା ପରେ ପ୍ରେମରେ ପଡ଼ିଥିଲେ। ହେଲେ ନତାଶାଙ୍କ ପୂର୍ବରୁ କଲେଜ ସମୟରେ ଅନ୍ୟଜଣେ ଯୁବତୀଙ୍କୁ ପସନ୍ଦ କରୁଥିଲେ ବରୁଣ। ହେଲେ ଏହି ସମ୍ପର୍କ ମାତ୍ର ୪ମାସ ଚାଲିଥିଲା। ପ୍ରେମିକା ପ୍ରତାରଣା କରୁଥିବା ଜାଣିବା ପରେ ବରୁଣ ବ୍ରେକ୍‌ଅପ୍‌ କରିଦେଇଥିଲେ।

କିଛିଦିନ ତଳେ ବରୁଣଙ୍କ ଫିଲ୍ମ ‘କୁଲି ନଂ-୧’ ରିଲିଜ ହୋଇଥିଲା। ଆଗାମୀ ଦିନରେ ଅଭିନେତାଙ୍କ ଫିଲ୍ମ ‘ଭେଡିୟା’ ରିଲିଜ ହେବ। ଏଥିରେ ତାଙ୍କ ନାୟିକା ସାଜିଛନ୍ତି କୃତି ସେନନ। ଏହାଛଡ଼ା ବରୁଣ ଅରୁଣ କ୍ଷେତ୍ରପାଳଙ୍କ ବାୟୋପିକ୍‌ରେ ମଧ୍ୟ ନଜର ଆସିବେ।

Share