କୃଷ୍ଣପ୍ରସାଦ,୧୩ା୨(ଡି.ଏନ୍.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରୁ ପୁରୀ ଯିବା ପାଇଁ ଜହ୍ନିକୁଦା-ସାତପଡ଼ା ହୋଇ ଚିଲିକା ରାସ୍ତାଟି ପାଲଟିଛି ଯାତ୍ରୀଙ୍କ ମୃତ୍ୟୁ ପଥ। ଯାତ୍ରା ବେଳେ ଯେକୌଣସି ସମୟରେ ହଠାତ୍ ଘନେଇ ଆସୁଛି ବିପଦ। କେବେ ଡଙ୍ଗା ତ କେବେ ଭସାପୋଲ ଚିଲିକାରେ ଅଟକି ଯାତ୍ରୀଙ୍କ ଚିନ୍ତା ବଢ଼ାଉଛି। ଏହି ପରିପ୍ରେକ୍ଷୀରେ ରବିବାର ମଧ୍ୟ ଯାତ୍ରୀ ନେଇ ଯାଉଥିବା ଏକ ଭସାପୋଲ ଚିଲିକାରେ ଫସିଯାଇଥିଲା। ସକାଳ ୭ଟା ୩୦ ମିନିଟରେ ୨ଟି ଯାତ୍ରୀବାହୀ ବସ୍, ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ, ୧୦ଟି ବାଇକ୍ ନେଇ ଏକ ଭସାପୋଲ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ବାହାରିଥିଲା। ହେଲେ ଯିବାର ପ୍ରାୟ କିଛି ବାଟ ପରେ ଅଚାନକ ଘନ କୁହୁଡ଼ି ମାଡ଼ି ଆସିଯାଇଥିଲା। ଫଳରେ ଭସାପୋଲଟି ବାଟବଣା ହୋଇ ବ୍ରହ୍ମପୁର -ସାତପଡ଼ା ଚିଲିକା ମଝିରେ ଏକ କୁଦରେ ଫସିଯାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସେଭଳି ଭସାପୋଲଟି ଥିବାବେଳେ ପରେ ଖବରପାଇ ସାତପଡ଼ାଠାରୁ ଅନ୍ୟ ଏକ ଭସାପୋଲରେ ଜେସିବି ଆସି ଫସିଯାଇଥିବା ଯାତ୍ରୀବାହୀ ଭସାପୋଲଟିକୁ ପାଣି ମଧ୍ୟକୁ ଟାଣି ଆଣିଥିଲା। ଏହିଭଳି ଘଟଣା ପ୍ରତି ମାସରେ ଘଟୁଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଜହ୍ନିକୁଦ। ଏପରିକି ସାତପଡ଼ାରୁ ଜହ୍ନିକୁଦାକୁ ନିୟମିତ ଯାତ୍ରୀ ଯାତାୟାତ କରୁଥିବାରୁ କିଛିବାଟ ପର୍ଯ୍ୟନ୍ତ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।