Categories: ଖେଳ

ମହିଳା ବକ୍ସିଂ କୋଚ୍‌ରୁ ଓହରିଲେ ଭାସ୍କର

ନୂଆଦିଲ୍ଲୀ, ୨୭ା୬ (ପି.ଟି.): ଏସିଆନ ଗେମ୍ସ ଆଉ କିଛି ଦିନ ବାକି ରହିଥିବା ବେଳେ ଭାସ୍କର ଭଟ୍ଟ ମହିଳା ବକ୍ସିଂ ମୁଖ୍ୟ କୋଚ୍‌ ପଦବୀରୁ ଓହରିଯାଇଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ)ରେ ତାଙ୍କୁ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନୂଆ ଦାୟିତ୍ୱ ମିଳିଛି। ସେଥିରେ ସେ ମନୋନିବେଶ କରିବେ। ସେପ୍ଟେମ୍ବରରେ ଏସିଆନ ଗେମ୍ସ ହେବ। ମହାଦେଶର ବକ୍ସରମାନଙ୍କ ଲାଗି ଏହା ପ୍ରଥମ ଅଲିମ୍ପିକ କ୍ୱାଲିଫାୟର୍ସ। ଚଳିତ ମାସ ପ୍ରାରମ୍ଭରେ ଭଟ୍ଟଙ୍କୁ ସାଇର ହାଇ ପରଫର୍ମାନ୍ସ ଡାଇରେକ୍ଟର (ଏଚ୍‌ପିଡି) ଭାବେ ନିଯୁକ୍ତି ମିଳିଥିଲା। ନୂଆ ଭୂମିକାରେ ବର୍ତ୍ତମାନ ସେ ସମସ୍ତ ସାଇ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସଠାରେ ଉଭୟ ପୁରୁଷ ମହିଳା ବକ୍ସିଂର ଦେଖା ଚାହଁା କରିବେ। ଭାସ୍କର ବର୍ତ୍ତମାନ ଏଲୋର୍ଡା କପ୍‌ ପାଇଁ ଭାରତର ଦ୍ୱିତୀୟ ପାହ୍ୟା ଦଳ ସହ କାଜାଖସ୍ତାନରେ ଅଛନ୍ତି। ନୂଆ ଦାୟିତ୍ୱକୁ ସେ ଭଲରୂପେ ନିର୍ବାହ କରିବାକୁ ଚାହୁଁଛନ୍ତି। ଏନ୍‌ଆଇଏସ୍‌ ପଟିଆଲାଠାରେ ଚାଲିଥିବା ଜାତୀୟ କ୍ୟାମ୍ପରେ ବାଳିକାମାନଙ୍କୁ ଗାଇଡ୍‌ କରିବା ଲାଗି ଏଚ୍‌ପିଡି ବର୍ନାଡ ଡ୍ୟୁନ୍‌ ଏବଂ ବିଦେଶୀ କୋଚ୍‌ ତିମିତ୍ରି ଦିମିତ୍ରୁକ୍‌ ମଧ୍ୟ ଅଛନ୍ତି। ନୂଆ ଦାୟିତ୍ୱ ତୁଲାଇବା ଲାଗି ମୋତେ ପୂରା ସମୟ ଦିଆଯାଉ ବୋଲି ମୁଁ ଅନୁରୋଧ କରିଥିଲି ବୋଲି ଭାସ୍କର କହିଛନ୍ତି।

Share