ସମୁଦ୍ର ତଳେ ବିସ୍ତୀର୍ଣ୍ଣ ଜଙ୍ଗଲ

ନୂଆଦିଲ୍ଲୀ, ୧୯।୯: ବିଶ୍ୱରେ ଆମାଜନ, ବୋରନେଓ, କଙ୍ଗୋ ଓ ଡାଇନ୍‌ଟ୍ରି ଭଳି ଅନେକ ବିଶାଳ ଜଙ୍ଗଲ ରହିଛି। ଏହାଛଡ଼ା ଆଖି ନ ପାଇଲା ଭଳି ଆର୍ଦ୍ର ଅରଣ୍ୟମାନ ମଧ୍ୟ ପୃଥିବୀରେ ମହଜୁଦ ଅଛି। ଭୂତଳ ଗଭୀର ସମୁଦ୍ର ଭିତରେ କ୍ଷୁଦ୍ର ଗୁଳ୍ମ ଶୈବାଳଜାତୀୟ ଉଦ୍ଭିଦ ଦେଖିବାକୁ ମିଳେ। ଏହି ଶୈବାଳରୁ ଜାତ ହୋଇଥାଏ ବିଶାଳକାୟ ସାମୁଦ୍ରିକ ଜଙ୍ଗଲ (ଓସେନ୍‌ ଫରେଷ୍ଟ୍‌)। ନିକଟରେ ବିଶେଷଜ୍ଞମାନେ ମହାସାଗର ତଳୁ ବିସ୍ତୃତ ଜଙ୍ଗଲ ଠାବ କରିଛନ୍ତି। ଏହି ଜଙ୍ଗଲର ଆକାର ଭାରତ ଆୟତନର ଦୁଇଗୁଣା ହୋଇଥିବାବେଳେ ଏହା ରୁଷିଆଠାରୁ କାନାଡା ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି।
ତଳେ ଅନେକ ପ୍ରକାର ଶୈବାଳଜାତୀୟ ଉଦ୍ଭିଦ ନିଜ ବଂଶ ବିସ୍ତାର କରିଥାନ୍ତି। ଏହି ଶୈବାଳ ଏବଂ ଏଥିରେ ରହୁଥିବା କ୍ଷୁଦ୍ର କୀଟଙ୍କୁ ସାମୁଦ୍ରିକ ଜୀବ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ଆଫ୍ରିକାର ଦକ୍ଷିଣାଞ୍ଚଳ ତଟରେ ବିଶାଳ ଆଫ୍ରିକୀୟ ସାମୁଦ୍ରିକ ଜଙ୍ଗଲ ଅବସ୍ଥିତ। ସମୁଦ୍ର ଜଳରାଶି ତଳେ ଏକାଧିକ ବିଶାଳ ଜଙ୍ଗଲ ଥିବାବେଳେ ସେଗୁଡ଼ିକର ନାମକରଣ ଅଦ୍ୟାବଧି କରାଯାଇ ନାହିଁ। ସମୁଦ୍ର ତଳେ ଥିବା ଶୈବାଳ ଅରଣ୍ୟମାନ ଗ୍ରୀଷ୍ମ ପ୍ରବାହ, ଜଳବାୟୁ ପରିବର୍ତ୍ତନ ଏବଂ ସବୁଜଗୃହ ବାଷ୍ପ ଦ୍ୱାରା ପ୍ରଭାବିତ ହେଉଥିଲେ ହେଁ ଏହା ସହଜରେ ଦୃଷ୍ଟିଗୋଚର ହେଉ ନାହିଁ। ଶୈବାଳ ସ୍ଥଳଭାଗ ଗଛଠାରୁ ଦ୍ରୁତ ବେଗରେ ବଢ଼ିଥାନ୍ତି। ଅନ୍ୟ ଉଦ୍ଭିଦ ପରି ସମୁଦ୍ର ଶୈବାଳ ଫଟୋସିନ୍ଥେସିସ୍‌ ଜରିଆରେ ସୂର୍ଯ୍ୟାଲୋକରୁ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସାଇଡ୍‌) ସଂଗ୍ରହ କରେ, ଯାହା ଉଦ୍ଭିଦକୁ ବଢ଼ିବାରେ ସାହାଯ୍ୟ କରେ।

ଶୈବାଳ ଅତିବେଶିରେ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାନ୍ତି। ସମୁଦ୍ର ଜଳ ତରଙ୍ଗରେ ଏମାନେ ସବୁବେଳେ ନାଚୁଥିବା ଭଳି ଦେଖାଯାନ୍ତି। ସମୁଦ୍ରରେ କ୍ଷୁଦ୍ର ବେଲୁନ୍‌ ସଦୃଶ ଦେଖାଯାଉଥିବା ସି-ବାମ୍ବୁ (ସାମୁଦ୍ରିକ ବାଉଁଶ)ଭାସମାନ ପରଦା ଭଳି ମନେହୁଏ। ଏହା ବ୍ୟତୀତ ଅନ୍ୟ ଉଦ୍ଭିଦ ମଧ୍ୟ ସମୁଦ୍ର ଜଳରେ ଦେଖାଯାନ୍ତି। ଦ୍ରୁତ ବେଗରେ ବିକଶିତ ହେଉଥିବା ଶୈବାଳ କେତେଦୂର ପର୍ଯ୍ୟନ୍ତ ବ୍ୟାପିଛି ତାହା ହିସାବ କରିବା କଠିନ। ସାଟେଲାଇଟ୍‌ ଦ୍ୱାରା ଏହା ସହଜ ହୋଇଥିବାବେଳେ ସମୁଦ୍ର ଜଳରେ ଏହାର ବିସ୍ତୃତିକୁ ମାପିବା କଷ୍ଟକର। କିଛି ସାମୁଦ୍ରିକ ଜଙ୍ଗଲର ଆୟତନ ୬ ନିୟୁତରୁ ୭.୨ ନିୟୁତ ବର୍ଗ କି.ମି. ପର୍ଯ୍ୟନ୍ତ ହୋଇଥାଏ। ଏହା ଆମାଜନ୍‌ ଜଙ୍ଗଲଠାରୁ ବଡ଼ ବୋଲି କୁହାଯାଉଛି। ଗହମ, ଚାଉଳ ଏବଂ ମକା ଫସଲ ତୁଳନାରେ ସାମୁଦ୍ରିକ ଜଙ୍ଗଲ ଅଧିକ ବଢ଼ିଥାଏ। ଏହି ଅଧ୍ୟୟନ ଉତ୍ସାହ ପ୍ରଦାନକାରୀ। ବିଶ୍ୱରେ ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ଏହାକୁ ଉପଯୋଗ କରାଯାଇପାରେ। ସାମୁଦ୍ରିକ ଅଭିବୃଦ୍ଧିକୁ ଆଧାର କରି ଭୂପୃଷ୍ଠରେ ଖାଦ୍ୟ ଉତ୍ପାଦନ କଲେ ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ ହୋଇପାରିବ।

Share