Categories: ଫୁରସତ

ବସୁଧୈବ କୁଟୁମ୍ବକମ୍‌

ପୃଥିବୀ ଏକ ବଡ଼ ପରିବାର। ବସୁଧୈବ କୁଟୁମ୍ବକମ୍‌ ଆଧାରରେ ବିଭିନ୍ନ ଦେଶ-ଦେଶ ମଧ୍ୟରେ ସହଯୋଗ ଦ୍ୱାରା ବିକାଶ ସମ୍ଭବ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ମିଳିତ ଜାତିସଂଘ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୨ରେ ପାଳିତ ହୋଇଥାଏ। ପୂର୍ବରୁ ଏହି ଦିବସ ଡିସେମ୍ବର ୧୯ରେ ପାଳିତ ହେଉଥିଲା। ମିଳିତ ଜାତିସଂଘର ଦକ୍ଷିଣ-ଦକ୍ଷିଣ ସହଯୋଗ ଦିବସର ତାରିଖ ୨୦୧୧ରେ ସେପ୍ଟେମ୍ବର ୧୨କୁ ଘୁଞ୍ଚାଇ ଦିଆଯାଇଥିଲା। ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ବୈଷୟିକ ସହଯୋଗ ଲାଗି ସଚେତନତା ବୃଦ୍ଧି ପାଇଁ ଏହି ଦିବସ ପାଳିତ ହୋଇଥାଏ।
ଦକ୍ଷିଣରେ ଥିବା ଅଞ୍ଚଳ ଏବଂ ଦେଶଗୁଡ଼ିକ ଦ୍ୱାରା ନିକଟ ଅତୀତରେ ହୋଇଥିବା ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ବିକାଶକୁ ଏହି ଅବସରରେ ସ୍ମରଣ କରାଯାଇଥାଏ। ବ୍ୟକ୍ତିବିଶେଷ ଏବଂ ସଙ୍ଗଠନଗୁଡ଼ିକ ପାଇଁ ଦକ୍ଷିଣ-ଦକ୍ଷିଣ ସହଯୋଗର ଗୁରୁତ୍ୱ ଉପରେ ସହମତ ହେବା, ଉତ୍ତର-ଦକ୍ଷିଣ ସହଯୋଗକୁ ପୂର୍ଣ୍ଣ କରିବା, ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକୁ ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟତା କରିବା ପାଇଁ ଏହି ଦିବସ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।
ଏହି ଦିନ ବିଭିନ୍ନ ଦେଶର ରାଜନୈତିକ ନେତାମାନେ ବିକାଶଶୀଳ ଦେଶଗୁଡ଼ିକରେ ଦକ୍ଷିଣ-ଦକ୍ଷିଣ ସହଯୋଗ ପ୍ରତି ପ୍ରତିବଦ୍ଧତା ଉପରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜାତିସଂଘର ନେତାଙ୍କ ସହ କାର୍ଯ୍ୟ କରିବାରେ ସେମାନଙ୍କର ଲକ୍ଷ୍ୟକୁ ନିଶ୍ଚିତ କରିଥାଆନ୍ତି। ଭାଷଣ, କାର୍ଯ୍ୟ ଯୋଜନା, ସ୍ବତନ୍ତ୍ର ସେମିନାର କିମ୍ବା ଆଲୋଚନାଚକ୍ର କିମ୍ବା ପ୍ରେସ୍‌ ଘୋଷଣା ମାଧ୍ୟମରେ ଏହା କରାଯାଇଥାଏ। ସାମାଜିକ କିମ୍ବା ରାଜନୈତିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷାବିତ୍‌ମାନେ ଶ୍ରେଣୀଗୃହ କାର୍ଯ୍ୟକଳାପ ମାଧ୍ୟମରେ ଏକ ସଚେତନତା ସୃଷ୍ଟି କରିବାର ପ୍ରୟାସ ମଧ୍ୟ କରିଥା’ନ୍ତି।
କରୋନା ମହାମାରୀ ସମୟରେ ବିଭିନ୍ନ ଦେଶର ସହଯୋଗରେ ପୃଥିବୀ ଏକ ପରିବାର ଭଳି ଲଢ଼ିଥିଲା। ଏହା ସୁଫଳ ମିଳିଥିଲା। କରୋନା ପରାସ୍ତ ହୋଇଥିଲା। ଏହି ଦିବସରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବିଭିନ୍ନ ଦେଶରେ ଅନୁଷ୍ଠିତ ହୋଇଥାଏ।

Share