ବେଦାନ୍ତ କମ୍ପାନୀ ରେଡମଡ ପ୍ରୋସେସ ୱାଟର ବନ୍ଧ ଭାଙ୍ଗି ଘାଇ ସୃଷ୍ଟି , ନଦୀପାଣିରେ ଭାସୁଛି ଦୂଷିତ କେମିକାଲ

ଭବାନୀପାଟଣା/ଲାଞ୍ଜିଗଡ,୧୫।୯( ଉତ୍ତମ କୁମାର ଦାଶ/ରମେଶ ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀର ରେଡମଡ ପ୍ରୋସେସ ୱାଟର ବନ୍ଧ ଶନିବାର ବିଳମ୍ବିତ ରାତିରେ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ଧରେ ଥିବା ଦୂଷିତ କେମିକାଲ ଯୁକ୍ତ ପାଣି ଲାଞ୍ଜିଗଡ଼ ଠାରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦେଇ ସ୍ଥାନୀୟ ଚାଷ ଜମିରେ ମାଡିଯାଇଥିବା ଦେଖିବାକୁ ମିଳିଛି। ସେହିପରି ଦୂଷିତ ପାଣି ପାଖରେ ଥିବା ବଂଶାଧାରା ନଦୀରେ ମଧ୍ୟ ଏବେ ମିଶୁଥିବା ଜଣାପଡିଛି । ଏହି କେମିକାଲ ଯୁକ୍ତ ଦୂଷିତ ଡଷ୍ଟ ପାଣି ପ୍ରବାହିତ ଦ୍ବାରା ଚାଷ ହୋଇଥିବା ଫସଲ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।

ଏହାସହ ନଦୀରେ ଦୂଷିତ ପାଣି ମିଶିବା ଦ୍ବାରା ଚର୍ମ ରୋଗର ଆଶଙ୍କା ରହିଛି। ବେଦାନ୍ତ ସୁରକ୍ଷାରେ ୧ ନମ୍ବର ବୋଲି ପୁରସ୍କୃତ ହେଇ ବାହାବାହା ନେଉଥିବା ବେଳେ ଏହି ଦୁର୍ଘଟଣାକୁ କେମିତି ରୋକି ପାରିଲେନି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଗତ ୯ ତାରିଖରେ ପ୍ରବଳ ବର୍ଷା ହେଇଥିବା ବେଳେ କମ୍ପାନୀର ରେଡମଡ ବନ୍ଧର ପାଣି ରାସ୍ତା ଉପରେ ଚାଲିବା ସହିତ ବୁନ୍ଦେଲ ଗାଁ ଭିତରେ ଘରେ ଘରେ ପଶିଯାଇଥିଲା ।