ଭୁବନେଶ୍ୱର, ୨୮।୧: ପୁଣିଥରେ ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଇଛା ପ୍ରକାଶ କରିଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ। ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ କମ୍ପାନୀ ପୁରୀ ଜିଲାରେ ଏକ ବିଶ୍ୱସ୍ତରୀୟ ଅଣଲାଭକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଜମି ଖୋଜୁଛି। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗ୍ରୁପ୍ ପ୍ରାୟ ୨୦,୦୦୦ କୋଟି ଟଙ୍କା ନିବେଶ କରିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ଡାଉନଷ୍ଟ୍ରିମ୍ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଅନୁଯାୟୀ କାର୍ଯ୍ୟ କରି କମ୍ପାନୀ ରାଜ୍ୟରେ ୩୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛି। କଞ୍ଚାମାଲର ପ୍ରକ୍ରିୟାକରଣ ଏଠାରେ କରାଯିବ, ଯାହା ସହାୟକ ଶିଳ୍ପକୁ ପ୍ରୋତ୍ସାହନ ଦେବ ଏବଂ ଯୁବପିଢ଼ିଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଜୁଲାଇ 2006 ରେ, ବେଦାନ୍ତ ଲିମିଟେଡ୍ ପୁରୀ-କୋଣାର୍କ ମାରିନ୍ ଡ୍ରାଇଭ୍ ଅଞ୍ଚଳରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ରାଜ୍ୟର ତତ୍କାଳୀନ ବିଜେଡି-ଭାଜପା ମେଣ୍ଟ ସରକାର ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିଥିଲେ।
ତେବେ କିଛି ବିସ୍ଥାପିତ ପରିବାର ଜମି ଅଧିଗ୍ରହଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି, ହାଇକୋର୍ଟ ପ୍ରକଳ୍ପର ଡେଭଲପରଙ୍କ ନାମର ବାରମ୍ବାର ପରିବର୍ତ୍ତନ ଉପରେ ପ୍ରଶ୍ନ ଉଠାଇଥିଲେ।
୨୦୧୦ ମସିହାରେ, ହାଇକୋର୍ଟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ରଦ୍ଦ କରିଥିଲେ ଏବଂ ଡେଭଲପରଙ୍କୁ ଜମି ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ବେଦାନ୍ତ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୨୩ ମସିହାରେ, ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ ବଜାୟ ରଖିଥିଲେ। ପରେ, ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜମି ମାଲିକମାନଙ୍କୁ ଫେରାଇ ଦେଇଥିଲେ।
ବେଦାନ୍ତ ୨୦୦୭ ମସିହାରୁ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ରେ ବାର୍ଷିକ ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ଏବଂ ଏକ ସମ୍ପୃକ୍ତ ୭୫ ମେଗାୱାଟ୍ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପରିଚାଳନା କରୁଛି।
ଏହା ବ୍ୟତୀତ, ଗ୍ରୁପ୍ ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ ଆଲୁମିନିୟମ୍ ପ୍ଲାଣ୍ଟ ପରିଚାଳନା କରୁଛି। ଏହି ପ୍ଲାଣ୍ଟରେ ୧.୮ MTPA ଆଲୁମିନିୟମ୍ ସ୍ମେଲ୍ଟିଂ କ୍ଷମତା ଏବଂ ଏକ ଏଠାରେ ୩୬୧୫ ମେଗାୱାଟ୍ ତାପଜ ବିଦ୍ୟୁତ୍ ଉତ୍ପାଦନ ସୁବିଧା ଅଛି।