Categories: ବାଣିଜ୍ୟ

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ଆଗାମୀ ଦିନରେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବ। ମେକ୍‌ ଇନ୍‌ ଓଡ଼ିଶା କନ୍‌ କ୍ଲେଭ୍‌ ୨୦୨୫ ରୋଡ୍‌ ଶୋ’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ପ୍ରତିନିଧି ଦଳ ସହ ଆଲୋଚନାବେଳେ ବେଦାନ୍ତ ଲିମିଟେଡ୍‌ ଏହି ପୁଞ୍ଜିନିବେଶ ଘୋଷଣା କରିଛି ା ସୂଚନା ଥାଉକି, ବେଦାନ୍ତ ଟେଣ୍ଡର ମାଧ୍ୟମରେ ସିଜିମାଳି ଖଣି ପାଇଛି ଯେଉଁଠାରେ ବିପୁଳ ପରିମାଣର ବକ୍ସାଇଟ୍‌ ଗଚ୍ଛିତ ରହିଛି ା ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍‌ ଆଲୁମିନିୟମ ରିଫାଇନେରି ଓ ୩ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ଏହି ପୁଞ୍ଜିନିବେଶକୁ ଆଗେଇନିଆଯିବ ା ଅଟୋ, ଶକ୍ତି, ନିର୍ମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମର ଅଧିକ ପ୍ରୟୋଗ ହେଉଥିବାରୁ ଏହା ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ବିଶାଳ ଶିଳ୍ପ କମ୍ପ୍ଲେକ୍ସ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ବେଦାନ୍ତ ଝାରସୁଗୁଡ଼ା ଭଳି ରାୟଗଡ଼ାକୁ ଏକ ଉଚ୍ଚ ବିକଶିତ ଅଞ୍ଚଳ ଭାବେ ଉଭାହେବାକୁ ଲକ୍ଷ୍ୟ ରଖିଥିବା ବେଦାନ୍ତ ପକ୍ଷରୁ ସୂଚନା ଦିଅଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବେଦାନ୍ତ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଦକ୍ଷତା ବିକାଶ କେନ୍ଦ୍ର ଓ ନନ୍ଦଘର ପ୍ରତିଷ୍ଠା କରିବ ା ଏହି ପୁଞ୍ଜିନବେଶ ଦ୍ୱାରା ୧ ହଜାର ଏମ୍‌ଏସ୍‌ଏମ୍‌ଇ ସହିତ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ା ୨୦୩୦ ସୁଦ୍ଧା ଆଲୁମିନିୟମ୍‌ର ଚାହିଦା ସମାନ ଭାବରେ ବୃଦ୍ଧି ପାଇବ ା
ଏ ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ୨୦୩୦ ସୁଦ୍ଧା ଓଡ଼ିଶାକୁ ଅଧା ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆମେ ନୂଆ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ବିଶ୍ୱକୁ ଆମନ୍ତ୍ରଣ କରୁଛୁ ା ଜାନୁଆରୀ ୨୦୨୫ରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଉତ୍କର୍ଷ ଓଡ଼ିଶା ଆୟୋଜନ କରୁଛୁ ଏବଂ ପ୍ରି-ଇଭେଣ୍ଟ ରୋଡ୍‌ ଶୋ’ ସମୟରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସହ ଫଳପ୍ରଦ ଆଲୋଚନା କରିଛୁ ।
ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି, ବେଦାନ୍ତର ଅଭିବୃଦ୍ଧିରେ ଓଡ଼ିଶା ସବୁବେଳେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ା ବେଦାନ୍ତର ପୁଞ୍ଜିନିବେଶ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି ଏବଂ ବୃହତ ଶିଳ୍ପାୟନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ଅଗ୍ରଓ୍ବାଲ କହିଛନ୍ତି। ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯୋଗଦାନ ଦେଇ ରାଜ୍ୟବାସୀଙ୍କୁ ସଶକ୍ତ କରିବୁ ଏବଂ ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବୁ ବୋଲି ସେ କହିଛନ୍ତି।

Share