କରୋନା ସହ ଲଢିବା ପାଇଁ ରେସ୍ତୋରାଁରେ ମିଳୁଛି ଆୟର୍ବେଦୀୟ ଥାଳି ସହ ଆଲକୋହଲିକ କାଢା

ନୂଆଦିଲ୍ଲୀ,୩ ।୧୦: କରୋନା ମହାମାରୀ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଲୋକେ ବାହାରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସାମାନ୍ୟ ଭୟ କରୁଛନ୍ତି । ଏବେ କିନ୍ତୁ ବିଭିନ୍ନ ରେସ୍ତୋଁରାରୁ ପ୍ୟାକିଂ ଫୁଡ ଘରକୁ ଆଣି ଖାଇପାରିବାର ଅନୁମତି ପ୍ରଦାନ କରାଯାଇଛି । ଏହାପରେ ବି ଲୋକଙ୍କ ମନରେ ଥିବା କରୋନା ଭୟ ସେମାନଙ୍କୁ ଟିକେ ପଛକୁ ନେଇଯାଉଛି । ଏହି ସମୟରେ ରାଜଧାନୀ ଦିଲ୍ଲୀରେ ଏମିତି ଏକ ରେସ୍ତୋରାଁ ଦାବି କରିଛି ଯେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେଠାରେ ଖାଦ୍ୟ ପରସା ଯାଉଛି । ଯାହା ସ୍ୱାଦିଷ୍ଟ ଓ ଶରୀର ପାଇଁ ହିତକର । ଦିଲ୍ଲୀର ଏହି ରେସ୍ତୋରାଁ Ardor2.1 ରେ କରୋନା ସହ ଲଢିବା ପାଇଁ ଏକ ଆୟୁର୍ବେଦୀୟ ଥାଳି ପରସା ଯାଉଛି । ଏହାସହ ଏଠାରେ ଖାଦ୍ୟ ପ୍ରସ୍ତୁତ ପାଇଁ କୋଇଲା, କାଠ ଓ ମାଟିର ପାତ୍ର ବ୍ୟବହାର କରାଯାଉଛି । ଆୟୁର୍ବେଦୀୟ ଥାଳିରେ ବିଭିନ୍ନ ପ୍ରକାରର ପନିପରିବାକୁ ସାମିଲ କରାଯାଇଛି । ଯେଉଁଥିରେ ଭିଟାମିନ୍ ସି, ଭିଟାମିନ୍ ଡି ଅଧିକ ପରିମାଣରେ ରହୁଥିବା କୁହାଯାଉଛି । ମସଲା ଭାବେ ହଳଦୀ, ଅଁଳା, ତୁଳସୀ, ଭୃଙ୍ଗରାଜ, ଗୁଲେଠି, ଶଙ୍ଖପୁଷ୍ଟି ଭଳି ଆୟୁର୍ବେଦୀୟ ସାମଗ୍ରୀ ବ୍ୟବହାର କରାଯାଉଛି । ଏହାର ମେନୁରେ ରହିଛି ସପ୍ତସାମଗ୍ରୀ ପନିର ଟିକା, ପାନ୍ନା କଲରା ଆଳୁ ପେଟିକା । ଏହାସହ ମେନ କୋର୍ସରେ ରହିଛି ନାଲି ଶାଗ, ଗଡୱାଲ ଡାଲି, ଡିମିରି କୋଫତା, କୁମାଉନି ରାଇତା, ମହୁଆ ରୁଟି, ଆଳୁ ତରକାରୀ । ସେହିପରି ମିଠାଭାବେ ଚୟନପ୍ରାସ ଓ ଆଇସକ୍ରିମ ଦିଆଯାଉଛି ବୋଲି ରେସେ୍‌ାରାଁ ପକ୍ଷରୁ ଦାବି କରାଯାଇଛି । ସବୁଠାରୁ ଆକର୍ଷଣ ପାଲଟିଛି ଆଲକୋହଲିକ କାଢା । ଏହା ଭାରତର ପାରମ୍ପରୀକ ପାନୀୟକୁ ନେଇ ପ୍ରସ୍ତୁତ କରାଯାଇଥିବା କୁହାଯାଏ ।

Share