Categories: ଜାତୀୟ

୧୬ କୋଟି ଟଙ୍କା ଇଞ୍ଜେକସନ୍‌ ନେଇ ବି ଜୀବନ ଯୁଦ୍ଧରେ ହାରିଗଲେ ବେଦିକା

ପୁଣେ,୩।୮: ସବୁ ଚେଷ୍ଟା ପରେ ବି ଆଖିବୁଜିଛନ୍ତି କୁନି ଝିଅ ବେଦିକା। ପୁଣେ ଜିଲାର ଏକ ଡାକ୍ତରଖାନାରେ ୧୧ ମାସର ଶିଶୁ ବେଦିକା ସିନ୍ଦେଙ୍କୁ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ଏକ ବିରଳ ରୋଗର ଚିକିତ୍ସା ପାଇଁ ବେଦିକାଙ୍କୁ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଦିଆଯାଇଥିଲା। ଶେଷରେ ଜୀବନ ସହ ସଂଗ୍ରାମ କରି ହାରିଯାଇଛନ୍ତି ସେ। ବେଦିକାଙ୍କ ଦେହାନ୍ତର କିଛି ଘଣ୍ଟା ପୂର୍ବରୁ ତାଙ୍କ ପରିବାର ସଦସ୍ୟ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରି ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଥିବାର ସୂଚନା ଦେଇଥିଲେ। ବେଦିକା ସ୍ପାଇନାଲ୍‌ ମସ୍କ୍ୟୁଲର ଆଟ୍ରୋଫି (ଏସ୍‌ଏମ୍‌ଏ) ଟାଇପ ୧ରେ ପୀଡିତ ଥିଲେ। ବେଦିକାଙ୍କ ବିରଳ ରୋଗ ଏବଂ ଚିକିତ୍ସାର ଆବଶ୍ୟକତା ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା, ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ବେଦିକାଙ୍କ ଚିକିତ୍ସା ପାଇଁ ଆମେରିକାରୁ ୧୬ କୋଟି ଟଙ୍କା ଇଞ୍ଜେକ୍ସନ ଆସିଥିଲା। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ଏହି ଇଞ୍ଜେକ୍ସନର ଆମଦାନୀ ଶୁଳ୍କ ଛାଡ୍‌ କରିଥିଲେ। ଏହା ପରେ ଜୁନ ମାସରେ ତାଙ୍କୁ ଦିନାନାଥ ମଙ୍ଗେଶକର ଡାକ୍ତରଖାନାରେ ଚିକିତ୍ସା ପାଇଁ ଇଞ୍ଜେକ୍ସନ ଦିଆଯାଇଥିଲା। ନିରୀହ ବେଦିକାଙ୍କ ଚିକିତ୍ସା ପାଇଁ ଦେଶରୁ ୧୬ କୋଟି ଟଙ୍କା ଆର୍ଥିକ ସହାୟତା ସଂଗ୍ରହ କରାଯାଇଥିଲା।

Share