ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଶନିବାର ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଅବସରରେ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ନିମନ୍ତେ କଥାକାର, ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ପୂର୍ବାହ୍ନରେ ତାଙ୍କ କଟକସ୍ଥ ବାସଭବନରେ ତାଙ୍କୁ ମାନପତ୍ର, ଉତ୍ତରୀୟ ସହିତ ୧ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନପୂର୍ବକ ସମ୍ମାନିତ କରିଛନ୍ତି। ଏହି ଅବସରରେ ଏକାଡେମୀର ସଚିବ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରଶସ୍ତିପତ୍ର ପାଠ କରିଥିଲେ। ମନ୍ତ୍ରୀ ଔପନ୍ୟାସିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟ ଲେଖକ/ଲେଖିକାମାନଙ୍କୁ ସାରସ୍ବତ ସାଧିକା ବୀଣାପାଣି ମହାନ୍ତିଙ୍କ ଭଳି ଲେଖନୀ ଚାଳନା ତୀବ୍ର କରିବାକୁ ଆହ୍ବାନ ଜଣାଇଥିଲେ। ଲେଖିକା ବୀଣାପାଣି ମହାନ୍ତି ତାଙ୍କ ପୁରସ୍କାର ପ୍ରାପ୍ତି ପ୍ରତିକ୍ରିୟାରେ କହିଥିଲେ ଯେ, ଏହା ମୋ’ ପାଇଁ ଗର୍ବର ବିଷୟ ଯେ ସଂସ୍କୃତି ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଏବଂ କଟକ ଜିଲାପାଳ ମୋ’ ବାସଭବନରେ ମୋତେ ସମ୍ବର୍ଦ୍ଧିତ କରିଛନ୍ତି। ମୁଁ ଏହି ସମ୍ମାନକୁ ସାଦରେ ଗ୍ରହଣ କରୁଛି। ସେ ଉତ୍କଳ ଲେଖିକା ସଂଘ ପାଇଁ ସରକାରୀ ସୁବିଧା ଯୋଗାଇଦେଲେ ସଦସ୍ୟାମାନେ ଅଧିକ ଉପକୃତ ହେବା ସହ ଲେଖାପ୍ରତି ଉତ୍ସାହିତ ହୁଅନ୍ତେ ବୋଲି କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, ପରିସ୍ଥିତ ସ୍ବାଭାବିକ ରହିଥିଲେ, ରବୀନ୍ଦ୍ରମଣ୍ଡପଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥାନ୍ତା କିନ୍ତୁ ସମୟକୁ ଦୃଷ୍ଟିରେ ରଖି ଏହାକୁ ନିରାଡମ୍ବର ଭାବେ ପ୍ରଦାନ କରାଯାଉଛି। ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ବୀଣାପାଣିଙ୍କୁ କଥାସାହିତ୍ୟର ପାଟଦେଈ ବୋଲି ଉଲ୍ଲେଖ କରି ତାଙ୍କର ସୁନାମ କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶର ସାହିତ୍ୟ କ୍ଷେତ୍ରରେ ରହିଛି ବୋଲି କହିଥିଲେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ବକ୍ତବ୍ୟ ରଖିଥିଲେ।

Share