ମୁମ୍ବାଇ,୨୧।୧୧: ପ୍ରସିଦ୍ଧ ଷ୍ଟାଣ୍ଡ ଅପ କମେଡିଆନ ବୀର ଦାସ ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ରେ ବେଷ୍ଟ ୟୁନିକ କମେଡି ପାଇଁ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ଶୋ ‘ବୀର୍ ଦାସ ଲ୍ୟାଣ୍ଡିଂ’ ପାଇଁ ସେ ଏମି ଆନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ‘ବୀର ଦାସ ଲ୍ୟାଣ୍ଡିଙ୍ଗ’ ସହିତ ’ଡେରି ଗର୍ଲସ ସିଜନ ୩’ କୁ କମେଡି ପାଇଁ ଏମି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ସମାନ ଥିଲା ଏବଂ ଦୁହେଁ ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୧ରେ ବୀର ଦାସ ତାଙ୍କ କମେଡି ଶୋ ‘ଟୁ ଇଣ୍ଡିଆ’ ପାଇଁ ଏମି ଆନ୍ତର୍ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ସେ ଏହି ପୁରସ୍କାର ଜିତିପାରିନଥିଲେ। ଚଳିତ ବର୍ଷ ‘ଦିଲ୍ଲୀ କ୍ରାଇମ ୨’ (ନେଟଫ୍ଲିକ୍ସ) ପାଇଁ ଅଭିନେତ୍ରୀ ଶେଫାଳୀ ଶାହା ଏବଂ ‘ରକେଟ ବୟେଜ ୨’ (ସୋନି ଲିଭ) ପାଇଁ ଅଭିନେତା ଜିମ ସରବ ମଧ୍ୟ ଆନ୍ତର୍ଜାତୀୟ ଏମି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।