କାଳବୈଶାଖି ତାଣ୍ଡବ: ଝଡତୋଫାନ ସାଙ୍ଗକୁ କୁଆପଥର ମାଡ଼

କୁଚିଣ୍ଡା,୧୭।୩(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡତୋଫାନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହୋଇଛି। ଏଥିଯୋଗୁ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫଳରେ ଋଣକରଜ କରି ପନିପରିବା ଓ ଡାଳୁଅଧାନ ଚାଷ କରିଥିବା ଚାଷୀ ପ୍ରଭାବିତ ହୋଇଛନ୍ତି।

କୁଆପଥର ମାଡ଼ ଯୋଗୁ ଶହଶହ ଏକର ଜମିରେ ଚାଷ ହୋଇଥିବା ଟମାଟୋ, ଆଳୁ, କୋବି, ବାଇଗଣ, ପୋଟଳ, ତରଭୁଜ, କଲରା, ଭେଣ୍ଡି, ଲଙ୍କା ମରିଚ, ଝୁଡ଼ଙ୍ଗ, ଲାଉ, କଖାରୁ, ଭେଣ୍ଡି, ଶୋରିଷ, ମକା, ମାଣ୍ଡିଆ, ମୁଗ ଓ ଡାଳୁଅ ଧାନ ଆଦି ନଷ୍ଟ ହୋଇଛି। ପାରୁଆଭାଡି ପଞ୍ଚାୟତର ପଣ୍ଡରିକଟା, ରାମତିଲେଇମାଲ, ଗୋଛରା ପଞ୍ଚାୟତର ଗୋଛରା, ଉଲଣ୍ଡା, କହ୍ଲେଇପାଲି, ଗୁରୁଆଁ, ଲଇଗୁରା, ବାଙ୍କେ ପଞ୍ଚାୟତର ଗୋପାଲପାଲି, ତମନଗୁଡା, ଡୁମ୍ବେରମାଲ,ବାବୁମଲଟି, କୁନ୍ତରା ପଞ୍ଚାୟତର ଝାରମାଲ, ରଙ୍ଗିଆଟିକିରା, ପଣ୍ଡରୀପଥର, କାପୁଟିକିରା, କୁସୁମୀ ପଞ୍ଚାୟତର କୁସୁମୀ, ବମଲେଇକେଲା, ପଣ୍ଡିଆଢିପା ଆଦି ଗ୍ରାମର ବହୁଚାଷୀ କୁଆପଥର ମାଡ ଯୋଗୁ କ୍ଷତିର ଶିକାର ହୋଇଛନ୍ତି।

ରାମତିଲେଇମାଲ ଗ୍ରାମର ବିଶ୍ବନାଥ ବର, କୃଷ୍ଣଚନ୍ଦ୍ର ଲୁହା, ନିରଞ୍ଜନ ବର, ଘଁସିଆ କିଷାନ, ରଘୁ କିଷାନ, ରାମ କିଷାନ, ଗୁରୁଆଁ (ନୂଆପଡା)ର ଶୁଶିଳ କିଷାନ, ବିଷ୍ଣୁଚରଣ କିଷାନ, ସୁମନ୍ତ କିଷାନ, ସୂର୍ଯ୍ୟ କିଷାନ ଏବଂ ତାନପୁରା ଗ୍ରାମର ରାଜେଶ କିଷାନ ପ୍ରମୁଖ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଭଳି ଅଦିନିଆ ଝଡତୋଫାନ ଓ କୁଆପଥର ଯୋଗୁ କ୍ଷତିଗ୍ରସ୍ତ ଚାଷୀ ବ୍ୟାଙ୍କ ଋଣ କେମିତି ଶୁଝିବେ ଚିନ୍ତାରେ ପଡିଛନ୍ତି। ତେଣୁ ରାଜସ୍ବ ବିଭାଗ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।