କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ ପୋଷାକ ଭାବେ ପିନ୍ଧି ହେବ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ପୋଷାକକୁ ଦେଖିଲେ ବୁଝି ହେବ। ଡିଜାଇନର୍ ଅରୁସିଆକ୍ ଗେବ୍ରିୟଲନ୍ ପନିପରିବା ଥିବା ପୋଷାକ ତିଆରି କରିଛନ୍ତି। ସେ କୁହନ୍ତି, ଏହି ପୋଷାକ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ହାତପାହାନ୍ତାରେ ପନିପରିବା ପାଇ ପାରିବା ସହ ମନ ମୁତାବକ ଖାଦ୍ୟ ପ୍ରସ୍ତୁତ କରିପାରିବେ। ଏହି ଗାର୍ଡେନ୍ରେ ୨୨ ପ୍ରକାର ପନିପରିବା ଚାରା ଲଗାଯାଇଛି। ଏଥିରେ କୋବି, ଗାଜର, ଲିଚୁ, ବାଦାମ ଆଦି ଚାରା ରୋପଣ କରାଯାଇଛି। ଏହାର ବିଶେଷତ୍ୱ ହେଲା ଗଛଗୁଡ଼ିକ ଉଠିଲେ ପୋଷାକ ସବୁଜ ରଙ୍ଗରେ ଆକର୍ଷଣୀୟ ଦିଶିବ। ଗେବ୍ରିୟଲନ୍ଙ୍କ ଏହି ପ୍ରୋଜେକ୍ଟ ଫ୍ରାନ୍ସର ବଟାନିଷ୍ଟ ପୈଟ୍ରିକ୍ ବ୍ଲାଙ୍କ୍ର ଭର୍ଟିକାଲ ଗାର୍ଡେନରୁ ପ୍ରେରଣା ପାଇଥିଲା। ସେ ପୋଷାକର ସ୍ତର ଏପରି ତିଆରି କରିଛନ୍ତି, ଯେମିତି ଏଥିରେ ମଞ୍ଜିଟି ବେଶ୍ ଭଲ ଭାବେ ବଢ଼ିପାରିବ। ରିସାଇକ୍ଲିଂ ପରିସ୍ରାରୁ ପୋଷାକରେ ଏପରି ଗଛ ଉଠିବା ସମ୍ଭବ ହୋଇପାରିଛି ବୋଲି ଗେବ୍ରିୟଲନ୍ କୁହନ୍ତି। ସେ କହିଛନ୍ତି, ପୋଷାକଟିକୁ ବର୍ତ୍ତମାନ ପିନ୍ଧିହେବ, ମାତ୍ର ଏଥିରେ ଫଳ ଫଳିଲେ ପିନ୍ଧିବା କଷ୍ଟକର ହୋଇପଡ଼ିବ।