ବଜାରରେ ପରିବା ଦର ଆକାଶଛୁଆଁ

ବୁଗୁଡ଼ା,୧୩।୧୦(ଡି.ଏନ୍‌.ଏ.): ବୁଗୁଡ଼ା ସହରରେ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହା ସିଧାସଳଖ ଲୋକଙ୍କ ପକେଟକୁ ମାଡ଼ କରିଛି। ତେବେ ଦର ନିୟନ୍ତ୍ରଣ ପ୍ରତି କୌଣସି ପ୍ରଶାସନିକ ଲଗାମ ନ ଥିବାରୁ ଅସାଧୁ ବ୍ୟବସାୟୀ ସକ୍ରିୟ ହୋଇ ମନଇଚ୍ଛା ଚଢ଼ାଦରରେ ପରିବା ବିକ୍ରି କରୁଛନ୍ତି। କାର୍ତ୍ତିକ ମାସ ଚାଲିଥିବାରୁ ହବିଷ୍ୟାଳି ତଥା ନିରାମିଷାସୀ ଲୋକ ପନିପରିବା ଉପରେ ନିର୍ଭର କରୁଛନ୍ତି। ଏପରି ସ୍ଥଳେ ପରିବା ଦର ବୃଦ୍ଧିକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସାଧାରଣତଃ କାର୍ତ୍ତିକ ମାସରେ ପରିବା ଦର ସାମାନ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ବରୁ ଅଧିକାଂଶ ପରିବା ଦର ବୃଦ୍ଧି ପାଇଛି। କିଲୋ ପ୍ରତି ସଜନା ଛୁଇଁ ଓ ଫୁଲକୋବି ୮୦ ଟଙ୍କା ରହିଥିବା ବେଳେ ଭେଣ୍ଡି, ଦେଶୀ ଆଳୁ ଓ ସାରୁ ୬୦ ଟଙ୍କା ରହିଛି। ବାଇଗଣ, କଦଳୀ ଓ ଟମାଟୋ ୫୦ ଟଙ୍କା ଥିବା ବେଳେ କାକୁଡି, ପୋଟଳ, ବନ୍ଧାକୋବି ଓ କନ୍ଦମୂଳ ୪୦ ଟଙ୍କାରେ ବିକ୍ରି ହେଉଛି। ଏପରିକି ଅମୃତ ଭଣ୍ଡା, ଆଳୁ, କଖାରୁ, ଜହ୍ନି, ପିଆଜ ଓ କୁନ୍ଦୁରି ୩୦ ଟଙ୍କା ରହିଛି। ପରିବା ଦରକୁ ନେଇ ଗରିବ ଶ୍ରେଣୀର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହା ମଧ୍ୟ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଲୋକଙ୍କ ଆବଶ୍ୟକତାକୁ ଭିତ୍ତି କରି ଘଡିକେ ଘଡି ପରିବା ଦର ବଦଳି ଆକାଶଛୁଆଁ ହେଉଛି। ତେବେ ଏଥିପ୍ରତି ପ୍ରଶାସନିକ ସଜାଗ ହୋଇ ଦର ଉପରେ ଲଗାମ ଲଗାଇପାରିଲେ ଜନସାଧାରଣ ଉପକୃତ ହେବେ ବୋଲି ସାଧାରଣରେ ଦାବି ହୋଇଛି।