ବଢୁଛି ପରିବା ଦର, ଚିନ୍ତାରେ ଖାଉଟି

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବଜାରରେ ପରିବା ଦର ବଢିଚାଲିଛି। ଆଳୁ, ପିଆଜକୁ ଛାଡି ଦେଲେ ଅନ୍ୟ ପରିବା ଦର ୫୦ଟଙ୍କା ତଳକୁ ନାହିଁ। ଫଳରେ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟମାଟୋ ଦର ଶହେ ତଳକୁ ଖସୁନି। କେଉଁଠି ୧୦୦ ଟଙ୍କା ତ ଆଉ କେଉଁଠି ୧୨୦ଟଙ୍କାରେ ବିକ୍ରି ହେଉଛି। ଫଳରେ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳରୁ ଯେପରି ଟମାଟ ଉଭାନ ହୋଇଯାଇଛି। କାକୁଡି ୬୦ରୁ ୮୦ ଟଙ୍କା, ଜହ୍ନି ୬୦, କଳରା ୮୦ରୁ ୧୦୦, ଝୁଡଙ୍ଗ ୧୦୦, ବିନ୍‌ ୬୦ରୁ ୮୦, କୁନ୍ଦୁରି ୬୦, କଞ୍ଚା କଦଳୀ ଗୋଟାକୁ ୧୫ରୁ ୨୦ ଟଙ୍କା ରହିଛି। ଏପରିକି ପୋଦିନା ପତ୍ର ବିଡା ୨୦ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ କଞ୍ଚା ଲଙ୍କା ଦର ମଧ୍ୟ ଅଧିକା ରହିଛି। ଏନେଇ ଗୁରୁଜଙ୍ଗର ପ୍ରଭାତ ବଳିଆରସିଂ କୁହନ୍ତି, ୨ଶହ ଟଙ୍କାର ପରିବା କିଣିଲେ ମଧ୍ୟ ବ୍ୟାଗ ଭର୍ତ୍ତି ହେଉନାହିଁ। ସେହିପର ବାଘମାରୀ ଅଞ୍ଚଳର ଅଶୋକ ପ୍ରଧାନ କୁହନ୍ତି, ଆମେ ହେଲୁ ଖଟିଖିଆ ମଣିଷ। ଦିନସାରା ଖଟିଲେ, ୨ରୁ ୩ଶହ ଟଙ୍କା ରୋଜଗାର ହୋଇଥାଏ। ତେବେ ପରିବା ଦରକୁ ଦେଖିଲେ ଭୟ ଲାଗୁଛି। ଶହେ ଟଙ୍କାର ପରିବା କିଣିଲେ ମଧ୍ୟ ଆଖିକୁ ଦେଖାଯାଉନାହିଁ। ଅନ୍ୟପକ୍ଷରେ ଏନେଇ ପରିବା ବ୍ୟବସାୟୀ ଦୁର୍ଯ୍ୟୋଧନ ସାହୁ କୁହନ୍ତି, ମୌସୁମୀ ବର୍ଷା ଯୋଗୁ ପରିବା ଆସିପାରୁନାହିଁ। ଫଳରେ ଦର ଉଚ୍ଚା ରହିଛି। ଆଗକୁ ଦର ସ୍ବାଭାବିକ ହେବା ସମ୍ଭାବନା ରହିଛି।

Share