ପରିବା ବିକ୍ରି ଆଢୁଆଳରେ ଜୁଆଖେଳ

ଖଇରା,୪।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସାପ୍ତାହିକ ହାଟର ଦୃଶ୍ୟ ଏବେ ନ କହିବା ଭଲ। ଅଧିକାଂଶ ଗାଁ ହାଟରେ ପରିବା ବିକ୍ରି ଆଢୁଆଳରେ ଜୁଆ ଖେଳ ସାଙ୍ଗକୁ ନିଶାକାରବାର ଚାଲୁଛି। ଏଭଳି ବେଆଇନ କାର୍ଯ୍ୟ ପଛରେ ଥାନା କର୍ମଚାରୀଙ୍କ ପରୋକ୍ଷ ସହଯୋଗ ଥିବା ନେଇ ଆଲୋଚନା ଜୋର ଧରିଛି। ଏହି ଜୁଆଖେଳ ଏବେ ଆଉ କେବଳ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। କଲେଜ ପଢୁଆ ପିଲା, ଚାଷୀ, ଶିକ୍ଷକଙ୍କ ସମେତ ଅନ୍ୟାନ୍ୟ ସରକାରୀ ଚାକିରିଆଙ୍କ ଦ୍ୱାରା ଚାଲିବା ଖଇରାର ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରମାଣିତ କରୁଛି। ଯଦି ପୋଲିସ ଏସ୍‌ପି ଏବଂ ଗୃହ ବିଭାଗ ଏହା ଉପରେ କଡ଼ା ଦୃଷ୍ଟି ନ ଦିଅନ୍ତି ତେବେ ଅଳ୍ପ ଦିନରେ ଏହା ମହାମାରୀ ଭଳି ଗଳିକନ୍ଦିକୁ ବ୍ୟାପିବ ଏଥିରେ ସନ୍ଦେହ ନାହିଁ।

ଗହଳିରେ ଉତ୍ପାଦିତ ଦ୍ରବ୍ୟର କିଣାବିକା ପାଇଁ ବିଭିନ୍ନ ସ୍ଥାନରେ ଗାଁ ହାଟର ସ୍ଥାପନା କରାଯାଇଛି। ହେଲେ ଖଇରା ଥାନା ଅଧୀନରେ ବିଭିନ୍ନ ହାଟଗୁଡ଼ିକରେ ପରିବା ଓ ତେଜରାତି ସଉଦା ବିକ୍ରି ସାଙ୍ଗକୁ ଜୁଆ ଆଡ୍ଡା ଓ କୁକୁଡ଼ା ଲଢ଼େଇ ଭଳି ବେଆଇନ କାର୍ଯ୍ୟ ବଢ଼ିଚାଲିଛି। ଯାହା ଯୁବପିଢିଙ୍କୁ ଆକର୍ଷିତ କରିବାରେ ଲାଗିଛି। ବିଶେଷ ଭାବେ ଏହି ଥାନା ଅଧୀନ ଦୋମୁହଁାଣି, ରମଦା, ପାତ୍ରଖୁଣ୍ଟା, ଡଗରପଡ଼ାରେ ଏବେ ବହୁଳ ଭାବରେ ଜୁଆ ଆଡ୍ଡା ଚାଲିଥିବା ନେଇ ଅଭିଯୋଗ ହେଉଛି। ଏହି କାରଣରୁ କୁପାରୀ ଜୋନର ବାଉଁଶଗଡ଼ିଆ,ହରିପୁର, ଗଡ଼ପୋଖରୀ,ରଟିଣା ପଞ୍ଚାୟତର ଗ୍ରାମଗୁଡ଼ିକରେ ଘରୋଇ ହିଂସା ସାଙ୍ଗକୁ ଆମତ୍ହତ୍ୟା ବଢ଼ିଚାଲିଛି। ୨୦୨୨ରେ ଘରୋଇ ହିଂସା ପାଇଁ ୨୦ରୁ ଅଧିକ ଆମତ୍ହତ୍ୟା ଘଟଣା ଘଟିଯାଇଥିବା ବେଳେ ୨୦୨୩ରେ ଅଦ୍ୟାବଧି ୧୨ରୁ ଅଧିକ ଆମତ୍ହତ୍ୟା ଘଟଣା ଘରୋଇ ହିଂସା କାରଣରୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ୫ବର୍ଷ ତଳେ ତତ୍କାଳୀନ ଆଇଆଇସି ଲୋପାମୁଦ୍ରା ନାୟକ ଏଭଳି ବେଆଇନ କାର୍ଯ୍ୟରେ ରୋକ୍‌ ଲାଗାଇଥିଲେ। ଏବେ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ପରିସ୍ଥିତି ସଙ୍ଗିନ ହୋଇ ପଡ଼ିଛି। ଡଗରପଡ଼ା ବଜାରରେ ଦୈନିକ ଏହି ଖେଳ ଚାଲୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ। ଏ ନେଇ ଖଇରା ଥାନା ଆଇଆଇସି ଗୟାଧର ବେହେରା କୁହନ୍ତି, ସେ ୨ଥର ଟିମ୍‌ ନେଇ ଚଢ଼ାଉ କଲେଣି। ହେଲେ ଜୁଆ ଖେଳାଳିମାନେ ଦୌଡ଼ି ପଳାଉଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।

Share