ସେପ୍ଟେମ୍ବରରୁ ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ନର…

ନୂଆଦିଲ୍ଲୀ,୨୪।୮ : ଜୁଲାଇରୁ ଆରମ୍ଭ ହୋଇଥିବା ପନିପରିବା ମହଙ୍ଗା ଏବେ ମଧ୍ୟ ଜାରି ରହିଛି। ପନିପରିବା ଦର ମଧ୍ୟବିତ୍ତ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି। ତେବେ ପନିପରିବା ଦର ବୃଦ୍ଧି ନେଇ ଆରବିଆଇ ଗଭର୍ନର ଶଶିକାନ୍ତ ଦାସଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଚିନ୍ତା ପ୍ରକଟ କରି ସେ କହିଛନ୍ତି। ସେପ୍ଟେମ୍ବରରୁ ପନିପରିବା ଦର ମୂଳ ଦାମକୁ ଫେରିବ। ଟମାଟୋର ମୂଲ୍ୟ ମଧ୍ୟ କେଜି ପିଛା ୨୦୦ରୁ ହ୍ରାସ ପାଇ ୫୦ ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବରରେ ଏହାର ମୂଲ୍ୟ ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଆରବିଆଇ ଗଭର୍ନର ଶଶିକାନ୍ତ ଦାସଙ୍କ ଅନୁଯାୟୀ କେବଳ ଟମାଟୋ ନୁହେଁ, ଅନ୍ୟ ପନିପରିବାର ମୂଲ୍ୟ ମଧ୍ୟ ସେପ୍ଟେମ୍ବରରୁ ହ୍ରାସ ପାଇବ। କାରଣ ଅଗଷ୍ଟ ମାସର ଶେଷ ସପ୍ତାହରେ ମୂଲ୍ୟରେ ହ୍ରାସ ଘଟିବ। ସେ କହିଛନ୍ତି ସେପ୍ଟେମ୍ବରରୁ ପନିପରିବାର ମୁଦ୍ରାସ୍ଫୀତି ହାର ଯଥେଷ୍ଟ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ପନିପରିବା ଏବଂ ଶସ୍ୟର ମୂଲ୍ୟ ବୃଦ୍ଧି ହେତୁ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ତିନିମାସ ଧରି ୬ ପ୍ରତିଶତର ଉପର ସୀମା ତଳେ ରହିବା ପରେ ଏଥିରେ ପୁଣି ବୃଦ୍ଧି ଘଟିଛି । ଏହି ବୃଦ୍ଧି ହେବାର ମୁଖ୍ୟ କାରଣ ହେଲା ଟମାଟୋ ଏବଂ ଅନ୍ୟାନ୍ୟ ପନିପରିବା ମୂଲ୍ୟରେ ବୃଦ୍ଧି ।

ପନିପରିବା ଏବଂ ଶସ୍ୟ ଯୋଗାଣ ନିଶ୍ଚିତ କରିବାକୁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଏହାର ଫଳାଫଳ ହେଉଛି ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଚାହିଦା ଅନୁଯାୟୀ, ବେପାରିମାନେ ମଣ୍ଡିରେ ପହଞ୍ଚିବା ଆରମ୍ଭ କରିବେ। ଫଳରେ ମୂଲ୍ୟ ତଳକୁ ଖସିବାରେ ଲାଗିବ। ଦାଶ କହିଛନ୍ତି ମୁଦ୍ରାସ୍ଫୀତ ୪ ପ୍ରତିଶତ ରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରତିବଦ୍ଧ। ସୂଚନାଯୋଗ୍ୟ, ଗତ ତିନୋଟି ମୁଦ୍ରା ନୀତି ସମୀକ୍ଷାରେ ଆରବିଆଇ ପ୍ରମୁଖ ନୀତି ସୁଧ ହାରକୁ ଅପରିବର୍ତ୍ତିତ ରଖିଛି।

 

Share